ଭୁବନେଶ୍ୱର: ଓଡ଼ିଶାରେ ଏବେ ବିଜେପିର ଫୋକସ୍ ‘ମିଶନ୍ ପଞ୍ଚାୟତ’। ୨୦୨୪ରେ ସରକାର ଗଠନ ପରେ ଏବେ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବାକୁ ଦଳ ଏବେ ମୈଦାନକୁ ଓଲ୍ହାଇବା । ଆଉ ଏହି ରଣନୀତିକୁ ନୂଆ ଦିଗ ଦେବା ପାଇଁ ଆଜି ପ୍ରଥମଥର ଓଡ଼ିଶା ଆସୁଛନ୍ତି ବିଜେପିର ଯୁବ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଦଳର ସର୍ବୋଚ୍ଚ ସାଂଗଠନିକ ଦାୟିତ୍ୱ ନେବା ପରେ ତାଙ୍କର ଏହି ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ଦଳୀୟ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି।
ଆଜି ରାତି ୧୦ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବେ ନୀତିନ ନବୀନ। ଆସନ୍ତାକାଲି ସକାଳୁ ଆରମ୍ଭ ହେବ ତାଙ୍କର ମାରାଥନ୍ କାର୍ଯ୍ୟକ୍ରମ। ସାଧାରଣ ରୋଡ୍ ଶୋ କିମ୍ବା ବଡ଼ ଜନସଭା ନୁହେଁ, ଏଥର ଫୋକସ୍ ରହିଛି ସିଧାସଳଖ ସଂଗଠନ ଉପରେ। ବୁଥ୍ରୁ ବ୍ଲକ୍ ପର୍ଯ୍ୟନ୍ତ କିପରି ଦଳକୁ ଆହୁରି ସକ୍ରିୟ କରାଯିବ, ତାହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ ଏହି ଗସ୍ତରେ।
ନୀତିନଙ୍କ ସ୍ୱାଗତକୁ ମଧ୍ୟ ରାଜ୍ୟ ବିଜେପି ଭିନ୍ନ ଟ୍ୱିଷ୍ଟ ଦେଇଛି। ଇନ୍ଧନ ସଂରକ୍ଷଣର ବାର୍ତ୍ତା ସହ ଇ-ବାଇକ୍ ର୍ୟାଲିରେ ତାଙ୍କୁ ଜଟଣୀ ପର୍ଯ୍ୟନ୍ତ ନେବେ ଦଳୀୟ କର୍ମୀ। ରାଜ୍ୟ ସଭାପତି ମନମୋହନ ସାମଲ ନିଜେ ଏହାର ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି। ରାଜନୀତି ସହ ପରିବେଶ ସଚେତନତାର ମେସେଜ୍ ଦେବାକୁ ମଧ୍ୟ ଚେଷ୍ଟା କରୁଛି ବିଜେପି।
ଜଟଣୀରେ ଆୟୋଜିତ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ’ରେ ଯୋଗଦେବେ ଜାତୀୟ ଅଧ୍ୟକ୍ଷ। ଏଠାରେ ବୁଥ୍ ମ୍ୟାନେଜମେଣ୍ଟ, ଡିଜିଟାଲ୍ ଆଉଟ୍ରିଚ୍ ଓ ସରକାରୀ ଯୋଜନାକୁ ଲୋକଙ୍କ ପାଖକୁ କିପରି ପହଞ୍ଚାଇବା, ସେନେଇ ଟ୍ରେନିଂ ଦିଆଯିବ। ପ୍ରାୟ ୫ ହଜାର କର୍ମୀ ଓ ପଦାଧିକାରୀ ଏଥିରେ ସାମିଲ ହେବାର ଲକ୍ଷ୍ୟ ରହିଛି।
ଗସ୍ତର ଆଉ ଏକ ବଡ଼ ଆକର୍ଷଣ ହେଉଛି ମୋହନ ସରକାର ସହ ହେବାକୁ ଥିବା ମନ୍ଥନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ନୀତିନ ନବୀନ ବୈଠକ କରିବେ। ଜୁନ୍ ୧୨ରେ ମୋହନ ସରକାର ୨ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରୀ ପରିଫର୍ମାନ୍ସ ଓ ଦଳ-ସରକାର ସମନ୍ୱୟ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା।
ଏପଟେ ତେଲ ଯୋଗାଣ ସମସ୍ୟା, ନିଟ୍ ପରୀକ୍ଷା ବାତିଲ ଦାବିକୁ ନେଇ ରାଜ୍ୟରେ ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ଏହି ଗସ୍ତ ହେଉଥିବାରୁ ଏହାର ରାଜନୈତିକ ମହତ୍ତ୍ୱ ଆହୁରି ବଢ଼ିଯାଇଛି। ରାଜନୈତିକ ମହଲାରେ ଆଲୋଚନ ହେଉଛି ଯେ, ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂଗଠନର ଭିତ୍ତିକୁ ଆହୁରି ଶକ୍ତିଶାଳୀ କରିବା ଓ ଦଳୀୟ ସମନ୍ୱୟକୁ ସୁଦୃଢ଼ କରିବା ହିଁ ନୀତିନ ନବୀନଙ୍କ ଏହି ଓଡ଼ିଶା ଗସ୍ତର ମୂଳ ଲକ୍ଷ୍ୟ।