ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଛି ବୋର୍ଡ ଓ ନିଗମ ନିଯୁକ୍ତି। ଖୁବ୍ ଶୀଘ୍ର ରାଜ୍ୟର ବିଭିନ୍ନ ସରକାରୀ ବୋର୍ଡ, ନିଗମ ଓ ପିଏସୟୁଗୁଡ଼ିକରେ ଖାଲି ପଡ଼ିଥିବା ପଦବି ପୂରଣ ହେବାକୁ ଯାଉଛି। ବିଶେଷ କରି ସଭାପତି, ଅଧ୍ୟକ୍ଷ ଓ ବିଭିନ୍ନ ପ୍ରଶାସନିକ ପଦରେ ନିଯୁକ୍ତିକୁ ନେଇ ରାଜନୈତିକ ମହଲରେ ଚଞ୍ଚଳତା ବଢ଼ିଛି। ଆଉ ବିଜେପି ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଓଡ଼ିଶା ଗସ୍ତ ପରେ ଏହି ପ୍ରକ୍ରିୟା ଆହୁରି ଗତି ପାଇବ ବୋଲି ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ରାଜ୍ୟ ସରକାର ସମସ୍ତ ୪୪ଟି ସରକାରୀ ଉଦ୍ୟୋଗରୁ ଖାଲି ପଦବି ଓ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ମଗାଇଛନ୍ତି। ଏହାକୁ ନେଇ ଦଳୀୟ ଆଶାୟୀ ନେତାଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ, ଅନେକେ ଏହାକୁ ‘ଥଇଥାନ ପ୍ରକ୍ରିୟା’ର ସଙ୍କେତ ବୋଲି ମନେ କରୁଛନ୍ତି।
ଚଳିତ ମାସ ୮ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ପିଏସୟୁ ସଚିବଙ୍କୁ ଚିଠି ଲେଖାଯାଇଛି। ୨୦୨୪ ଜୁନ୍ ୧୨ରୁ ୨୦୨୬ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ କେତେ ନିଯୁକ୍ତି ହୋଇଛି, କେଉଁ ପଦ ଖାଲି ଅଛି ଏବଂ ଆସନ୍ତା ଜୁନ୍ ୩୦ ସୁଦ୍ଧା କେଉଁ ସବୁ ପଦବି ପୂରଣ ହେବ, ସେ ସବୁର ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି।
କେବଳ ସେତିକି ନୁହେଁ, ଗ୍ରୁପ୍ A, B, C ଓ D ପଦବିରେ କେତେ ଅନୁମୋଦିତ ପଦ ଅଛି ଓ ବର୍ତ୍ତମାନ କେତେ ଖାଲି ରହିଛି, ତାହାର ତଥ୍ୟ ମଧ୍ୟ ମଗାଯାଇଛି। ଆଗାମୀ ଦିନରେ କେତେ ନିଯୁକ୍ତିର ସମ୍ଭାବନା ରହିଛି, ସେଥିପାଇଁ ମଧ୍ୟ ବିଭାଗଗୁଡ଼ିକୁ ଇ-ମେଲ୍ ଯୋଗେ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ସମୟରେ ନୀତିନ ନବୀନଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଳରେ ଅନେକ ଅର୍ଥ ବାହାର କରାଯାଉଛି। ଦଳୀୟ ସଂଗଠନକୁ ସଜାଡ଼ିବା ସହ ନିଷ୍କ୍ରିୟ ନେତାଙ୍କୁ ବୋର୍ଡ ଓ ନିଗମରେ ଦାୟିତ୍ୱ ଦେଇ ସକ୍ରିୟ କରିବାର ରଣନୀତି ମଧ୍ୟ ଚାଲିଥିବା ଆଲୋଚନା ହେଉଛି।
ଏବେ ଦେଖିବାକୁ ବାକି ରହିଲା, କେଉଁ ନେତାଙ୍କ ଭାଗ୍ୟ ଖୋଲୁଛି ଓ କେଉଁ ବୋର୍ଡ-ନିଗମରେ କାହାକୁ ମିଳୁଛି ଦାୟିତ୍ୱ। କିନ୍ତୁ ଏହା ସ୍ପଷ୍ଟ ଯେ, ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟ ରାଜନୀତିରେ ବୋର୍ଡ-ନିଗମ ନିଯୁକ୍ତିକୁ ନେଇ ବଡ଼ ଚର୍ଚ୍ଚା ହେବା ନିଶ୍ଚିତ।
ଅଧିକ ପଢନ୍ତୁ: ପଞ୍ଚାୟତ ପୂର୍ବରୁ ବିଜେପିର ବଡ଼ ବ୍ଲୁପ୍ରିଣ୍ଟ, ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ, ଇ-ବାଇକ୍ ର୍ୟାଲିରେ ହେବ ସ୍ୱାଗତ