ଭୁବନେଶ୍ୱର: ଓଡ଼ିଶାର ଆମିଷ ବଜାର ଉପରେ ମହଙ୍ଗା ମାଡ଼। ମଟନ୍ କିଲୋ ପିଛା ୫୦ ଟଙ୍କା ବୃଦ୍ଧି। ଖାଉଟି ୮୫୦ ଟଙ୍କା ଦେଇ କିଣିବେ ମଟନ। ବିଶ୍ୱବ୍ୟାପୀ ଜାରି ରହିଥିବା ତେଲ ସମସ୍ୟା ପରେ ଏବେ ଖାଦ୍ୟ ଦର ମଧ୍ୟ ବଢିବା ଆରମ୍ଭ ହେଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ କୋଲକାତାରୁ ଆଉ ମଟନ୍ ଗାଡ଼ି ଓଡ଼ିଶା ଆସୁନାହିଁ। ଅନ୍ୟପଟେ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ବିହାରରୁ ମଧ୍ୟ ଆବଶ୍ୟକ ମୁତାବକ ଗାଡ଼ି ଆସିପାରୁନି। ଭୁବନେଶ୍ୱର ମାର୍କେଟକୁ ସାଧାରଣ ଦିନ ତୁଳନାରେ ଦୁଇଟି ଗାଡ଼ି କମ୍ ଆସୁଛି। ତେଣୁ କରି ଆମିଷ ଉପରେ କିଛି ମାତ୍ରାରେ ଦର ବୃଦ୍ଧି କରାଯାଇଛି।
ତେବେ ଦିନକୁ ଦିନ ବ୍ୟବସାୟୀମାନେ ମଧ୍ୟ ଚିନ୍ତା ପ୍ରକଟ କରୁଛନ୍ତି। କାରଣ ଦର ବଢିଲେ ମଧ୍ୟ ଆବଶ୍ୟକ ମୁତାବକ ଜିନିଷ ସେମାନେ ପାଇଁ ପାରୁ ନାହାନ୍ତି। ଯାହାଫଳରେ ସେମାନଙ୍କର ବେପାର ମଧ୍ୟ ଅଧିକାଂଶ ସମୟରେ ମାନ୍ଦା ପଡୁଛି। ଅନ୍ୟପଟେ ମଟନ୍ କିଲୋ ପିଛା ୫୦ ଟଙ୍କା ବୃଦ୍ଧି ହେବା ପରେ ମଧ୍ୟ ଲୋକେ ମଟନ୍ କିଣିବା ପାଇଁ ଦୋକାନରେ ଭିଡ ଲଗାଉଛନ୍ତି। ଗ୍ରାହକଙ୍କ ମଧ୍ୟରେ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଥିଲେ ମଧ୍ୟ ସମସ୍ତେ ମଟନ୍ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ କମିନି।