ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷାର ଫଳାଫଳ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ ଆସିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯାହାକୁ ନେଇ ସାରା ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି କରିଥିବା ପରିଶ୍ରମର ଫଳ ଏବେ ଜାଣିବାକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କିଛି ଛାତ୍ର ପ୍ରଥମ ଶ୍ରେଣୀର ଆଶାରେ ଥିବାବେଳେ ଅନ୍ୟମାନେ ଭଲମାର୍କ ପାଇଁ ଉଚ୍ଚଶିକ୍ଷାରେ ପ୍ରବେଶ କରିବାକୁ ଆଶା କରିଛନ୍ତି ।
ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ। ତେବେ ଚଳିତ ଥର ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଫଳାଫଳ ପ୍ରକାଶ ପରେ ସରକାରୀ ୱେବସାଇଟ୍ ଓ ସ୍କୁଲ/କଲେଜ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ମାର୍କ ଯାଞ୍ଚ କରିପାରିବେ । ଏହା ସହିତ ମୋବାଇଲ ମାଧ୍ୟମରେ ମଧ୍ୟ ଫଳ ଦେଖିବା ସୁବିଧା ରହିବ ବୋଲି ଆଶା କରାଯାଉଛି । ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି ଏବଂ ସଠିକ ସମୟରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ।