ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଉ ଜଣେ ଓଡ଼ିଆ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଧବବନ୍ଧ ଗ୍ରାମର ଯୁବକ ଏ. ରାମାୟାଙ୍କ ରୁଷର ରାଜଧାନୀ ମସ୍କୋରେ ଡ୍ରୋନ ଆକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ରାମାୟା ପ୍ରାୟ ମାସେ ପୂର୍ବରୁ କାମ କରିବା ପାଇଁ ରୁଷ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଶନିବାର ଡ୍ରୋନ ଆକ୍ରମଣ ଘଟିଥିଲା। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ବେଳେ ରାମାୟା ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ରାମାୟାଙ୍କ ଜଣେ ସାଙ୍ଗ ପରିବାରକୁ ଫୋନ୍ କରି ଏହି ଦୁଃଖଦ ଖବର ଜଣାଇଥିଲେ। ଏହା ଶୁଣି ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ପୁଅର ମୃତଦେହକୁ ଶୀଘ୍ର ଗାଁକୁ ଆଣିବା ପାଇଁ ପରିବାର ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅନୁରୋଧ କରିଛନ୍ତି।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ବାସନ ଘଟଣାକୁ ସ୍ୱୀକାର କରି ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ରାମାୟାଙ୍କ ମୃତଦେହକୁ ଭାରତକୁ ଆଣିବା ପାଇଁ ଦିଲ୍ଲୀ ସହ ଯୋଗାଯୋଗ ଚାଲିଛି। ଏହା ସହିତ ଭାରତୀୟ ଦୂତାବାସ ସହ ମଧ୍ୟ ଆଲୋଚନା ଜାରି ରହିଛି।