ଭୁବନେଶ୍ୱରରେ ବିଜେପିର ବଡ଼ ମନ୍ଥନ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସଂଗଠନକୁ ଆହୁରି ଅଧିକ ମଜଭୁତ କରିବା ପାଇଁ ଆକ୍ସନ ମୋଡ୍ରେ ଦଳ। ଏହି ପରିପ୍ରେକ୍ଷୀରେ ରାଜଧାନୀ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କୋର୍ କମିଟି ବୈଠକରେ ଦଳୀୟ ନେତା ଓ କର୍ମୀଙ୍କୁ ଦେଇଛନ୍ତି ‘୫ ଗୁରୁମନ୍ତ୍ର’। ସଂଗଠନ ଠାରୁ ସରକାରୀ ଯୋଜନାର ଗ୍ରାଉଣ୍ଡ କନେକ୍ସନ୍ ପର୍ଯ୍ୟନ୍ତ ପ୍ରତିଟି ବିଷୟରେ ସ୍ପଷ୍ଟ ରୋଡମ୍ୟାପ ଦେଇଛନ୍ତି ନିତିନ।
ନୂଆ ଦାୟିତ୍ୱ ମିଳିବା ପରେ ଓଡ଼ିଶାରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ବୈଠକକୁ ନେଇ ଦଳୀୟ ଶିବିରରେ ବେଶ୍ ଉତ୍ସାହ ଦେଖାଯାଇଥିଲା। ବୈଠକରେ ନିତିନ ନବୀନ ସବୁଠୁ ପ୍ରଥମେ ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରଖିବାକୁ ଜୋର ଦେଇଥିଲେ। ଦଳ ଭିତରେ ଯେତେ ଭଲ କୋଓର୍ଡିନେସନ୍ ରହିବ, ସଂଗଠନ ସେତେ ମଜବୁତ ହେବ ବୋଲି ସେ କହିଥିଲେ।
ଦ୍ୱିତୀୟରେ ସଂଗଠନକୁ ତଳସ୍ତରରୁ ଆହୁରି ସୁଦୃଢ କରିବାକୁ ଫୋକସ୍ କରିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଗୁରୁତ୍ୱ ଦେଇ ସଂଗଠନୀୟ କାର୍ଯ୍ୟର ତଦାରଖ କରିବା ଉପରେ ମଧ୍ୟ ସେ ଜୋର ଦେଇଥିଲେ। ତୃତୀୟ ଓ ଚତୁର୍ଥ ମନ୍ତ୍ରରେ ଜନତାଙ୍କ ମଧ୍ୟରେ ସରକାରଙ୍କ ଗ୍ରହଣୀୟତା ବଢ଼ାଇବା ଓ ଲୋକାଭିମୁଖୀ ଛବିକୁ ଆହୁରି ମଜବୁତ କରିବା ନେଇ ନେତାଙ୍କୁ ଟାସ୍କ ଦେଇଥିଲେ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଞ୍ଚମ ମନ୍ତ୍ର ଥିଲା, ସରକାରୀ ଯୋଜନାକୁ ଗ୍ରାଉଣ୍ଡ ଲେଭେଲ୍ରେ ପହଞ୍ଚାଇବା। କେବଳ ଘୋଷଣା ନୁହେଁ, ଲୋକେ ଯେପରିକି ପ୍ରକୃତ ଲାଭ ପାଇବେ ସେଥିପାଇଁ କର୍ମୀଙ୍କୁ ଆହୁରି ସକ୍ରିୟ ହେବାକୁ ସେ ଆହ୍ୱାନ କରିଥିଲେ।
ଏହି ହାଇଭୋଲ୍ଟେଜ୍ ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ବିଜୟ ପାଲ ସିଂ ତୋମାର ଓ ଲତା ଉସେଣ୍ଡିଙ୍କ ସହ ଅନ୍ୟାନ୍ୟ କୋର୍ କମିଟି ସଦସ୍ୟ ଉପସ୍ଥିତ ଥିଲେ। ଆଗାମୀ ନିର୍ବାଚନକୁ ଟାର୍ଗେଟ୍ କରି ବିଜେପି ଏବେ ଫୁଲ୍ ଇଲେକ୍ସନ୍ ମୋଡ୍ରେ ଥିବା ଏହି ବୈଠକରୁ ସ୍ପଷ୍ଟ ସନ୍ଦେଶ ମିଳିଛି।