ପୁରୀ ଶ୍ରୀମନ୍ଦିରରେ ଗୁଞ୍ଜିଲା “ଜୟ ଜଗନ୍ନାଥ” ଧ୍ୱନି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନୀତିନ ନବୀନ। ଶ୍ରୀମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସମୟରେ ସେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।
ନୀତିନ ନବୀନଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ଶ୍ରୀମନ୍ଦିର ପହଞ୍ଚିବା ପରେ ପ୍ରଶାସନ, ବିଜେପି ନେତୃବୃନ୍ଦ ଓ ସେବାୟତମାନଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ପ୍ରାୟ ୩୦ ମିନିଟ୍ ଧରି ଶ୍ରୀମନ୍ଦିର ଭିତରେ ସମୟ ବିତାଇ ନୀତିନ ନବୀନ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ସେଥିସହ ପାର୍ଶ୍ୱଦେବଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ, ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଆନନ୍ଦିତ ଓ ଆତ୍ମିକ ଶାନ୍ତି ଅନୁଭବ କରୁଛନ୍ତି।
ଦେଶ ଓ ଓଡ଼ିଶାର ମଙ୍ଗଳ କାମନା କରିବା ସହ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ସଫଳତା ପାଇଁ ମହାପ୍ରଭୁଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ ନୀତିନ ନବୀନ। ତେବେ ପିଲାବେଳେ ଥରେ ଶ୍ରୀମନ୍ଦିର ଆସିଥିବା ବେଳେ ଆଜି ସେ ଦ୍ୱିତୀୟଥର ପାଇଁ ମହାପ୍ରଭୁଙ୍କ ଦର୍ଶନ କରିଥିବା କହିଛନ୍ତି।
ଶ୍ରୀମନ୍ଦିରରୁ ବାହାରିବା ବେଳେ ବ୍ୟାରିକେଡ୍ ପାଖରେ ଥିବା ଭକ୍ତମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ନୀତିନ ନବୀନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି। ପରେ ସମସ୍ତେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନକୁ ଯାଇ ମହାପ୍ରସାଦ ସେବନ କରି ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି।