କଟକ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସ୍ଥିତି ଏବେ ସାରା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବିଶେଷକରି ବିଶ୍ୱବଜାରରେ ତୈଳ ସଂକଟ ଓ ଇନ୍ଧନ ଅଭାବକୁ ନେଇ ଅନେକ ଦେଶ ଚିନ୍ତାରେ ଥିବା ବେଳେ ଭାରତ ମଧ୍ୟ ଏହାର ପ୍ରଭାବରୁ ବାଦ ପଡ଼ିନାହିଁ। ଇନ୍ଧନ ସଂକଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ୱାର୍କ ଫ୍ରମ ହୋମ’ ଉପରେ ଜୋର ଦେଇଥିବା ବେଳେ, ଦିଲ୍ଲୀ ପରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ସେହି ନୀତିକୁ ଆପଣାଇଛନ୍ତି।
ଏହାରି ଭିତରେ ଓଡ଼ିଶା ହାଇକୋର୍ଟ ନେଇଛି ଏକ ବଡ଼ ନିଷ୍ପତ୍ତି। ତୈଳ ସଂକଟକୁ ଆଖିଆଗରେ ରଖି ଆସନ୍ତା ୧୯ ଓ ୨୧ ତାରିଖରେ ହାଇକୋର୍ଟ ଭର୍ଚୁଆଲ୍ ମୋଡ୍ରେ ଚାଲିବ ବୋଲି ସୂଚନା ମିଳିଛି। ଏନେଇ ହାଇକୋର୍ଟ ପକ୍ଷରୁ ଏକ ଅଧିକୃତ ନୋଟିସ୍ ମଧ୍ୟ ଜାରି କରାଯାଇଛି। କେବଳ ସେତିକି ନୁହେଁ, ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ କାର୍ଯ୍ୟ ମଧ୍ୟ ଭର୍ଚୁଆଲ୍ ମୋଡ୍ରେ ହେବ ବୋଲି କୁହାଯାଇଛି।
ଏହି ସମୟରେ କୋର୍ଟ ପରିସରରେ ମାତ୍ର ୫୦ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ। ବଢ଼ୁଥିବା ଇନ୍ଧନ ସଂକଟ ମଧ୍ୟରେ ହାଇକୋର୍ଟଙ୍କ ଏହି ପଦକ୍ଷେପ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।