ଗଞ୍ଜାମ: ଓଡ଼ିଶାରେ ଆଇନଶୃଙ୍ଖଳାକୁ ନେଇ ପୁଣି ଉଠିଛି ଗମ୍ଭୀର ପ୍ରଶ୍ନ। ରାଜଧାନୀ ଉପକଣ୍ଠ ବାଲିଅନ୍ତାର ନିର୍ମମ ହତ୍ୟାକାଣ୍ଡର ଚର୍ଚ୍ଚା ଶାନ୍ତ ହୋଇନଥିବା ବେଳେ, ଏବେ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରୁ ଆସିଛି ଆଉ ଏକ ଭୟଙ୍କର ଚିତ୍ର। ଗହଳିପୂର୍ଣ୍ଣ ରାସ୍ତା ମଝିରେ ଜଣେ ଯୁବକଙ୍କୁ ଏମିତି ନିର୍ଦ୍ଦୟ ଭାବେ ପିଟାଯାଇଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଘଟଣା ଘଟିଛି ବ୍ରହ୍ମପୁର ସହରର ବ୍ୟସ୍ତବହୁଳ ଗିରି ରୋଡ୍ ଛକ ନିକଟରେ। ରାତି ପ୍ରାୟ ୯ଟା। ଲୋକଙ୍କ ଯିବା-ଆସିବା ଚାଲିଥିବା ସମୟରେ ହଠାତ୍ ଦୁଇ ଯୁବକ ମିଶି ଉମେଶ ରଥ ନାମକ ଜଣେ ଯୁବକଙ୍କ ଉପରକୁ ଆକ୍ରମଣ କରିଥିଲେ। ରାସ୍ତା ମଝିରେ ତାଙ୍କୁ ତଳେ ପକାଇ ଗୋଇଠା, ବିଧା ଏବଂ ନିର୍ମମ ମାଡ଼ ମାରୁଥିଲେ। ଏମିତି ଲାଗୁଥିଲା, ଯେମିତି ଆକ୍ରମଣକାରୀଙ୍କ ମନରୁ ମଣିଷପଣିଆ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି।
ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହେଉଛି, ଘଟଣାସ୍ଥଳରେ ଥିବା ଜଣେ ଯୁବତୀଙ୍କ ସାହସ। ଉମେଶଙ୍କ ସହ ଥିବା ମହିଳା ବନ୍ଧୁ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଜୋରଦାର ଚେଷ୍ଟା କରୁଥିଲେ। ଚିତ୍କାର କରି ବଞ୍ଚାଇବାକୁ ଅନୁରୋଧ କରୁଥିଲେ। କିନ୍ତୁ ରକ୍ତମୁଖା ଦୁର୍ବୃତ୍ତମାନେ କାହାର କଥା ଶୁଣିବା ମୁଡ୍ରେ ନଥିଲେ। ଏହି ଭୟଙ୍କର ଦୃଶ୍ୟକୁ କେହି ମୋବାଇଲରେ ରେକର୍ଡ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଗୁରୁତର ଅବସ୍ଥାରେ ଉମେଶ ରଥ ଏବଂ ତାଙ୍କ ମହିଳା ବନ୍ଧୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ ମଧ୍ୟ ତତ୍ପର ହୋଇଛି। ବୈଦ୍ୟନାଥପୁର ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସେମାନେ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଏବଂ ତାଙ୍କ ସାନ ଭାଇ ଆଶିଷ କୁମାର ସାହୁ।
ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଜଣାପଡ଼ିଛି, ଉମେଶ ଗତ କିଛି ଦିନ ଧରି ଏକ ମାମଲାରେ ଫେରାର ଥିଲେ ଏବଂ ନିକଟରେ ଆଗୁଆ ଜାମିନ ପାଇଥିଲେ। ତେବେ ସବୁଠାରୁ ବଡ଼ ପ୍ରଶ୍ନ ଯଦି ରାଜରାସ୍ତାରେ ଲୋକଙ୍କ ସାମ୍ନାରେ ଏଭଳି ହିଂସା ଚାଲିବ, ତେବେ ସାଧାରଣ ଲୋକ କେତେ ସୁରକ୍ଷିତ?