ଭୁବନେଶ୍ୱର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଜଣେ ଯୁବକ ଓ ତାଙ୍କ ମହିଳା ବନ୍ଧୁଙ୍କୁ ନିର୍ମମ ଭାବେ ଆକ୍ରମଣ ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ରକ୍ତରଞ୍ଜିତ ଭିଡିଓକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ।
ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ନବୀନ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଡ଼ା ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କଥାରେ, “ଓଡ଼ିଶାରେ ଏବେ ଶାସନ ନୁହେଁ, ଗୁଣ୍ଡାରାଜ୍ ଚାଲିଛି।” ବିଚ୍ ରାସ୍ତାରେ ଲୋକଙ୍କ ସାମ୍ନାରେ ଯେପରି ଭାବେ ଯୁବକ ଓ ମହିଳାଙ୍କୁ ଆକ୍ରମଣ କରାଗଲା, ତାହା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।
ନବୀନଙ୍କ ଅଭିଯୋଗ ଅନୁସାରେ, ରାଜ୍ୟରେ ଅପରାଧୀମାନେ ଏବେ ଭୟଶୂନ୍ୟ ହୋଇପଡ଼ିଛନ୍ତି। ଆଇନକୁ ହାତକୁ ନେଇ ଖୋଲାଖୋଲି ଭାବେ ଆକ୍ରମଣ କରୁଥିଲେ ମଧ୍ୟ ପୋଲିସ ପ୍ରଶାସନର କୌଣସି ଭୟ ସେମାନଙ୍କ ମନରେ ନାହିଁ। “କୁଆଡ଼େ ଗଲା ପୋଲିସ ପ୍ରଶାସନ? କେଉଁଠି ଆଇନ କାନୁନର ବ୍ୟବସ୍ଥା?” ବୋଲି ସେ ସରକାରଙ୍କୁ ସିଧା ପ୍ରଶ୍ନ କରିଛନ୍ତି।
ବାଲିଅନ୍ତା ଘଟଣା ପରେ ପୁଣି ବ୍ରହ୍ମପୁରରେ ଏଭଳି ହିଂସା ଘଟିବା ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। ଗୋଟିଏ ପରେ ଗୋଟିଏ ହିଂସାତ୍ମକ ଘଟଣା ସାମ୍ନାକୁ ଆସୁଥିବା ବେଳେ, ବିରୋଧୀ ଶିବିର ଏବେ ସରକାରଙ୍କୁ ଘେରିବା ପାଇଁ ବଡ଼ ମୌକା ପାଇଥିବା ଚର୍ଚ୍ଚା ହେଉଛି।