ଚେନ୍ନାଇ/ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ। ରାଜ୍ୟ ବିଧାନସଭା ନିର୍ବାଚନ ପରବର୍ତ୍ତୀ ସରକାର ଗଠନରେ ବ୍ୟାପକ 'ହର୍ସ ଟ୍ରେଡିଂ' ଏବଂ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଜଣେ ଆବେଦନକାରୀ। ଏହି ସମ୍ପୂର୍ଣ୍ଣ ମାମଲାରେ ସିବିଆଇ ତଦନ୍ତ ଦାବି କରାଯିବା ସହ ତଦନ୍ତ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଆବେଦନରେ ଅପିଲ୍ କରାଯାଇଛି। ମଦୁରାଇର ବାସିନ୍ଦା କେ.କେ. ରମେଶଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ନିକଟରେ ଅଭିନେତାରୁ ନେତା ସାଜିଥିବା ସି. ଜୋସେଫ୍ ବିଜୟଙ୍କ ପାର୍ଟି ଟିଭିକେ (TVK) ରାଜ୍ୟରେ ସରକାର ଗଠନ କରିଥିବା ବେଳେ ଏହି ଆବେଦନ ବିଜୟଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି।
କ’ଣ ରହିଛି ଆବେଦନରେ?
ଅଭିଯୋଗ ମୁତାବକ, ନିକଟରେ ଶେଷ ହୋଇଥିବା ତାମିଲନାଡୁ ନିର୍ବାଚନରେ 'ତାମିଲଗା ଭେଟ୍ରି କାଜାଗାମ' (TVK) ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଗତ ମେ' ୪ ତାରିଖରେ ପ୍ରକାଶ ପାଇଥିବା ଫଳାଫଳରେ ଟିଭିକେ ଆଶ୍ଚର୍ଯ୍ୟଜନକ ଭାବେ ୧୦୮ଟି ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ବନିଥିଲା, କିନ୍ତୁ ସରକାର ଗଠନ ପାଇଁ ବହୁମତ ନଥିଲା।
ଏହାପରେ କଂଗ୍ରେସ, ସିପିଆଇ, ସିପିଆଇଏମ୍ ଏବଂ ଆଇୟୁଏମ୍ଏଲ୍ ଭଳି ଦଳଗୁଡ଼ିକ ବିଜୟଙ୍କ ପାର୍ଟିକୁ ସମର୍ଥନ ଘୋଷଣା କରିଥିଲେ। ମେ' ୧୦ ତାରିଖରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବିଧାନସଭାରେ ବହୁମତ ସାବ୍ୟସ୍ତ କରିଥିଲେ। ତେବେ ଏହି ସରକାର ଗଠନ ପଛରେ ଅର୍ଥ ଏବଂ କ୍ଷମତାର ଅପବ୍ୟବହାର କରାଯାଇ ଅନ୍ୟ ଦଳର ବିଧାୟକଙ୍କୁ ଆପଣାଇବାକୁ ଚେଷ୍ଟା କରାଯାଇଥିବା ଆବେଦନରେ ଦର୍ଶାଯାଇଛି।
ଫ୍ଲୋର ଟେଷ୍ଟ୍ ସମୟରେ ଚମକାଇଲା AIADMKର ସମର୍ଥନ
ସବୁଠାରୁ ବଡ଼ ବିବାଦ ଆସ୍ଥା ଭୋଟ୍ ବା ବହୁମତ ସାବ୍ୟସ୍ତ ସମୟରେ ଦେଖିବାକୁ ମିଳିଥିଲା। ଗୃହରେ ସମସ୍ତଙ୍କୁ ଚକିତ କରି ବିରୋଧୀ AIADMK ର ୨୫ ଜଣ ବିଧାୟକ ଶାସକ ଟିଭିକେ ସରକାର ସପକ୍ଷରେ ଭୋଟ୍ ଦେଇଥିଲେ। ଫଳରେ ବିଜୟଙ୍କ ମେଣ୍ଟର ସଂଖ୍ୟା ୧୪୪ ପାର୍ କରିଯାଇଥିଲା। ଏହି ୨୫ ବିଧାୟକଙ୍କ କ୍ରସ-ଭୋଟିଂ ପଛରେ ବଡ଼ଧରଣର ଆର୍ଥିକ କାରବାର ଓ ଘୋଡ଼ା ବେପାର ହୋଇଥିବା ଆବେଦନକାରୀ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି।
୫୯ ବର୍ଷ ପରେ ତାମିଲନାଡୁ ମନ୍ତ୍ରିମଣ୍ଡଳରେ କଂଗ୍ରେସ
ଅନ୍ୟପଟେ ରାଜ୍ୟ ରାଜନୀତିରେ ଆଉ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ଦୀର୍ଘ ୫୯ ବର୍ଷ ପରେ କଂଗ୍ରେସ ତାମିଲନାଡୁ ସରକାରରେ ସାମିଲ ହେବାକୁ ଯାଉଛି। କଂଗ୍ରେସର ଦୁଇ ବିଧାୟକ ରାଜେଶ କୁମାର ଏବଂ ପି. ବିଶ୍ୱନାଥନ ଗୁରୁବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୧୯୬୭ ମସିହା ପରଠାରୁ ତାମିଲନାଡୁ କ୍ୟାବିନେଟ୍ରେ କଂଗ୍ରେସର କୌଣସି ପ୍ରତିନିଧି ନଥିବା ବେଳେ ଏବେ ବିଜୟଙ୍କ ସରକାରରେ ଦଳ ଅଂଶୀଦାର ସାଜିଛି।