ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଥିବା ବନ୍ଧୁତା ଆଉଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। କାରଣ, ଏଥର କୂଟନୀତିରେ ଆସିଛି ଏକ ମିଠା ଟ୍ୱିଷ୍ଟ ଯାହା ହେଉଛି ‘ମେଲୋଡି’ କ୍ୟାଣ୍ଡି।
ପାଞ୍ଚ ରାଷ୍ଟ୍ରୀୟ ବିଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ମଙ୍ଗଳବାର ଇଟାଲୀ ପହଞ୍ଚିଥିବା ମୋଦୀଙ୍କୁ ରୋମରେ ଅତ୍ୟନ୍ତ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ ମେଲୋନି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ମଧ୍ୟରୁ ସବୁଠୁ ଅଧିକ ଆକର୍ଷଣ କରିଥିଲା ଏକ ଛୋଟ ଉପହାର। ପ୍ରଧାନମନ୍ତ୍ରୀ ମୋଦୀ ମେଲୋନିଙ୍କୁ ‘ମେଲୋଡି’ ଚକୋଲେଟ୍ ଗିଫ୍ଟ କରିଥିଲେ। ଏହାକୁ ନେଇ ମେଲୋନି ନିଜ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି କହିଥିଲେ, “ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଏକ ବହୁତ ସୁନ୍ଦର କ୍ୟାଣ୍ଡି ଦେଇଛନ୍ତି, ମେଲୋଡି। ଧନ୍ୟବାଦ!”
ଏହି ଭିଡିଓ ପୋଷ୍ଟ ହେବା ସହିତ ସୋସିଆଲ ମିଡିଆରେ #Melodi ଏବଂ #MelodiTrophy ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଲୋକମାନେ ଏହାକୁ “ସବୁଠୁ ସ୍ୱିଟ୍ କୂଟନୀତି” ବୋଲି ବର୍ଣ୍ଣନା କରୁଛନ୍ତି।
ଏହାସହ ଦୁଇ ନେତା ଏକାଠି ରାତ୍ରୀଭୋଜନ କରିଥିଲେ ଏବଂ ଗୋଟିଏ କାରରେ ରୋମର ରାସ୍ତା ଦେଇ ଯାତ୍ରା କରିଥିଲେ ଏବଂ ପ୍ରାୟ ୨,୦୦୦ ବର୍ଷ ପୁରୁଣା ଐତିହାସିକ କଲୋସିୟମ୍ ପରିଦର୍ଶନ କରିଥିଲେ।
ମୋଦୀ ଏକ୍ସରେ ଲେଖିଥିଲେ ଯେ ଭାରତ-ଇଟାଲୀ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ବାଣିଜ୍ୟ, ନିବେଶ, ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆଲୋଚନା ଜାରି ରହିବ। କିନ୍ତୁ ଏହି ସମସ୍ତ ରାଜନୈତିକ ଆଲୋଚନା ମଧ୍ୟରେ ‘ମେଲୋଡି’ କ୍ୟାଣ୍ଡି ହିଁ ଏବେ ସବୁଠୁ ବଡ଼ ହାଇଲାଇଟ୍ ହୋଇପଡ଼ିଛି।