ଭୁବନେଶ୍ୱରର ପଟିଆ-କଳାରାହାଙ୍ଗ ଅଞ୍ଚଳରେ ବୁଧବାର ସକାଳୁ ଦେଖିବାକୁ ମିଳିଛି ହାଇଡ୍ରାମା। ସରକାରୀ ଜମିରୁ ବେଆଇନ ଜବରଦଖଲ ହଟାଇବା ପାଇଁ BMCର ବୁଲଡୋଜର ବୁଲିଛି। ଦେଖୁଦେଖୁ ଭାଙ୍ଗିଗଲା ଘର, ଦୋକାନ ଓ ବର୍ଷର ସ୍ମୃତି। ଆଉ ଉଚ୍ଛେଦ ସ୍ଥଳ ପାଲଟିଗଲା ରଣକ୍ଷେତ୍ରରେ।
କଳାରାହାଙ୍ଗ ଅଞ୍ଚଳର ପ୍ରାୟ ୬ ଏକର ଗ୍ରାମ୍ୟ ଜଙ୍ଗଲ ଜମି ଦୀର୍ଘଦିନ ଧରି ଜବରଦଖଲରେ ଥିବା ଅଭିଯୋଗ ଥିଲା। ଏହି ଜମି ଉପରେ ଗଢ଼ିଉଠିଥିବା ‘ରେଗେଡି ବସ୍ତି’ରେ ଥିବା ପ୍ରାୟ ୫୦ରୁ ଅଧିକ ଘର ଓ ବ୍ୟବସାୟିକ ଦୋକାନକୁ ଭାଙ୍ଗିବା ପାଇଁ ଏକାଠି ହୋଇଥିଲେ BMC, BDA ଓ GA ବିଭାଗର ଟିମ୍। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା ଏହି ଅଭିଯାନ ପାଇଁ ବ୍ୟାପକ ପୋଲିସ ମୁତୟନ ମଧ୍ୟ କରାଯାଇଥିଲା।
କିନ୍ତୁ ଉଚ୍ଛେଦ ଯେତେ ଆଗକୁ ବଢ଼ିଲା, ସେତେ ତୀବ୍ର ହେଲା ବିରୋଧ। ବସ୍ତିବାସିନ୍ଦାମାନେ ଦୋକାନ ଆଗରେ ବସି ପ୍ରତିବାଦ କରିଥିଲେ। କେତେକ ମହିଳା ହାତରେ ଦା, କଟୁରୀ ଓ ପନିକି ଧରି ଉଚ୍ଛେଦକୁ ରୋକିବାକୁ ଚେଷ୍ଟା କରିଥିଲେ। କେତେବେଳେ ପୋଲିସ ଓ ସ୍ଥାନୀୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।
“ପିଢ଼ି ପରେ ପିଢ଼ି ଆମେ ଏଠି ରହୁଛୁ। ଏବେ ହଠାତ୍ କୁଆଡେ ଯିବୁ?” ଏଭଳି ପ୍ରଶ୍ନ କରି ପ୍ରଶାସନ ସାମ୍ନାରେ ଭାବବିହ୍ୱଳ ହୋଇପଡ଼ିଥିଲେ ଅନେକ ପରିବାର। ଏକପଟେ ସରକାରୀ ଜମି ମୁକ୍ତ କରିବାର ଅଭିଯାନ, ଅନ୍ୟପଟେ ମୁଣ୍ଡ ଉପରୁ ଛାତ ହରାଇବାର ଭୟ ଏହି ଦୁଇ ଚିତ୍ର ମଧ୍ୟରେ କଳାରାହାଙ୍ଗର ଉଚ୍ଛେଦ ଏବେ ରାଜଧାନୀର ସବୁଠୁ ବଡ଼ ଚର୍ଚ୍ଚା ପାଲଟିଛି।