ପୁରୀ: ଆସନ୍ତାକାଲି ସନ୍ଧ୍ୟାରେ ୪ ଘଣ୍ଟା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ ଶ୍ରୀମନ୍ଦିର। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ପବିତ୍ର ବନକଲାଗି ନୀତି ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ, ମେ’ ୨୦ ତାରିଖ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।ଜ୍ୟେଷ୍ଠ କୃଷ୍ଣ ଚତୁର୍ଥୀ ତିଥି ଅବସରରେ ଏହି ବିଶେଷ ନୀତି କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ବନକଲାଗି କାର୍ଯ୍ୟ ଆରମ୍ଭ ହେବ। ଏହି ସମୟରେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ।
ବନକଲାଗି ନୀତି ଶ୍ରୀମନ୍ଦିରର ଅତ୍ୟନ୍ତ ପ୍ରାଚୀନ ଓ ପବିତ୍ର ପରମ୍ପରା ମଧ୍ୟରୁ ଗୋଟିଏ। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରାକୃତିକ ଓ ସୁଗନ୍ଧିତ ଦ୍ରବ୍ୟରେ ପ୍ରସ୍ତୁତ ବିଶେଷ ରଙ୍ଗ ଲାଗି କରାଯାଏ। ହିଙ୍ଗୁଳ, ହରିତାଳ, କସ୍ତୁରୀ, କେଶର ଓ କଇଁଠ ଅଠା ଭଳି ପବିତ୍ର ସାମଗ୍ରୀରେ ‘ବନକ’ ପ୍ରସ୍ତୁତ ହୁଏ। ପରେ ସେହି ବନକ ତିନି ଠାକୁରଙ୍କ ଶ୍ରୀମୁଖରେ ଲାଗି କରାଯାଏ।
ଏହି ନୀତିକୁ ଦେଖିବା ଓ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ଅନୁଭବ କରିବା ପାଇଁ ଭକ୍ତମାନଙ୍କ ମନରେ ବିଶେଷ ଭକ୍ତି ଓ ଆଗ୍ରହ ରହିଥାଏ। ଦର୍ଶନ ବନ୍ଦ ରହିବାରୁ ଭକ୍ତମାନଙ୍କୁ ସୁବିଧା ଅନୁଯାୟୀ ମନ୍ଦିର ଯାତ୍ରା ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି।