ଭୁବନେଶ୍ୱର: ପଶ୍ଚିମ ଏସିଆ ଯୁଦ୍ଧର ପ୍ରଭାବ ଏବେ ଭାରତୀୟ କୃଷି ଉପରେ ପଡ଼ୁଛି। ସାର ଆମଦାନୀରେ ବାଧା ସହ ଦେଶରେ ସାର ସଙ୍କଟ ନେଇ ଚିନ୍ତା ବଢ଼ିଥିବା ବେଳେ ବଜାରରେ ନକଲି କୀଟନାଶକ ବିକ୍ରି ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ସାର କଳାବଜାରୀଙ୍କୁ କଡ଼ା ଚେତାବନୀ ଦେବା ସହ ଚାଷୀଙ୍କ ପାଇଁ ‘ଫାର୍ମର ଆଇଡି’ ଆଣିବାକୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ।
କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଅଧ୍ୟକ୍ଷତା କରି ଶିବରାଜ କହିଛନ୍ତି, ପଶ୍ଚିମ ଏସିଆର ଯୁଦ୍ଧ ଓ ଅନ୍ତର୍ଜାତୀୟ ପରିସ୍ଥିତି ଯୋଗୁଁ ସାର ଆମଦାନୀ ପ୍ରଭାବିତ ହେଉଛି। ତେଣୁ ଦେଶରେ ସାର ଅଭାବ ନେଇ ଚିନ୍ତା ବଢ଼ିଛି। ଏହାସହ ବଜାରରେ ନକଲି କୀଟନାଶକ ବିକ୍ରି ହେଉଥିବାରୁ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି ବୋଲି ସେ କହିଛନ୍ତି।
ସାର କଳାବଜାରୀ ଉପରେ କେନ୍ଦ୍ର ସରକାରଙ୍କ ତୀକ୍ଷ୍ଣ ନଜର ରହିଥିବା କହି ଲାଭଖୋର ଦୋକାନୀଙ୍କୁ ଚେତାବନୀ ଦେଇଛନ୍ତି କୃଷିମନ୍ତ୍ରୀ। ସାର କଳାବଜାରୀ କଲେ କାହାକୁ ବି ଛଡ଼ା ଯିବନି ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହାସହ ଚାଷୀଙ୍କ ପାଇଁ ‘ଫାର୍ମର ଆଇଡି’ ଆଣିବାକୁ ଘୋଷଣା କରିଛନ୍ତି ଶିବରାଜ ସିଂହ ଚୌହାନ। ଏହି ଆଇଡିରେ ଚାଷୀଙ୍କ ଜମିଜମା, ସମ୍ପତ୍ତି ଓ ପରିବାର ସଦସ୍ୟଙ୍କ ସମସ୍ତ ତଥ୍ୟ ରହିବ। ଏହା ଦ୍ୱାରା ଚାଷୀଙ୍କୁ ମାତ୍ର ଦୁଇ ମିନିଟରେ ଲୋନ୍ ମିଳିପାରିବ ବୋଲି ସେ କହିଛନ୍ତି। ସମସ୍ତ ରାଜ୍ୟକୁ ଶୀଘ୍ର ଫାର୍ମର ଆଇଡି ପ୍ରସ୍ତୁତ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି।
ଆଗାମୀ ଦିନରେ ଅଭାବୀ ବର୍ଷାର ଆଶଙ୍କା ଥିବାରୁ ରାଜ୍ୟମାନଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ପଶ୍ଚିମବଙ୍ଗ ପ୍ରସଙ୍ଗ ଉଠାଇ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଶିବରାଜ। କେନ୍ଦ୍ରର କୃଷି ଯୋଜନା ସଠିକ୍ ଭାବେ ଲାଗୁ ନହେବାରୁ ସେଠାର ଚାଷୀ ସରକାରୀ ଯୋଜନାର ଲାଭ ପାଇନଥିବା ସେ କହିଛନ୍ତି ।
ପୂର୍ବ ଭାରତକୁ କୃଷି ଗ୍ରୋଥର ଇଂଜିନ କରିବାକୁ ଆହ୍ୱାନ ଦେଇ ମିଶ୍ରିତ କୃଷି ଓ ଉତ୍ପାଦନ ହାର ବୃଦ୍ଧି ଉପରେ ଜୋର ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବୈଜ୍ଞାନିକ, କୃଷି ବିଶେଷଜ୍ଞ ଓ କୃଷକ ପ୍ରତିନିଧିମାନେ ସାମିଲ ହୋଇଥିଲେ।