ମୟୂରଭଞ୍ଜର କରଞ୍ଜିଆ ବ୍ଲକରେ ଦୁର୍ନୀତିର ଆଉ ଏକ କଳାଚିତ୍ର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିଜ ଦରମା ଟଙ୍କା ପାଇଁ ଲାଞ୍ଚ ଦେବାକୁ ପଡ଼ିଲା। ଆଉ ସେହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଗଲେ ମିରିଗିନେଣ୍ଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପର୍ଶୁରାମ ନାଏକ।ସୂଚନା ଅନୁସାରେ, ପ୍ରାୟ ଦୁଇ ବର୍ଷ ଧରି ନିଜ ପାରିଶ୍ରମିକ ପାଇଁ ପାଇଁ ଘୁରୁଥିଲେ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ। ୨୬ ମାର୍ଚ୍ଚ ୨୦୨୩ରୁ ୩ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ସେ କୌଣସି ଦରମା ପାଇନଥିଲେ। ବ୍ଲକ ଉନ୍ନୟନ ଅଧିକାରୀଙ୍କ ପକ୍ଷରୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଥିଲା ସତ୍ତ୍ୱେ, ପିଇଓ ପର୍ଶୁରାମ ନାଏକ ଫାଇଲ ଆଗକୁ ବଢ଼ାଇବା ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।
କୁହାଯାଉଛି, “ଟଙ୍କା ନ ଦେଲେ କାମ ହେବ ନାହିଁ” ବୋଲି ସଫା ସଫା ଧମକ ଦେଇଥିଲେ ଅଭିଯୁକ୍ତ ପିଇଓ। ଶେଷରେ ନିରାଶ ହୋଇ କର୍ମଚାରୀ ଜଣକ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଫାନ୍ଦ ବିଛାଇଥିଲା ଏବଂ ମଙ୍ଗଳବାର ଦିନ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପର୍ଶୁରାମ ନାଏକଙ୍କୁ ଟଙ୍କା ସହ ଧରିଥିଲେ ଅଧିକାରୀମାନେ।
ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୧୮ ହଜାର ଟଙ୍କା ଜବତ କରାଯାଇଛି। ସେପଟେ ଆୟ ବହିର୍ଭୂତ ସମ୍ପତ୍ତି ନେଇ ତାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରି ଭିଜିଲାନ୍ସ ଘଟଣାର ଅଧିକ ତଦନ୍ତ ଚାଲାଇଛି।