ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନ ସାଢ଼େ ୧୨ଟା ରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ ଏକସଙ୍ଗେ ପ୍ରକାଶ ପାଇବ। results.odisha.gov.in ଓ results. digilocker.gov.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଅପରାହ୍ଣ ୩ ଟାରୁ ଛାତ୍ରଛାତ୍ରୀମାନେ ୱେବସାଇଟରେ ରେଜଲ୍ଟ ଦେଖିପାରିବେ।
ଚଳିତ ବର୍ଷ ସମୁଦାୟ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ଭଲ ହେବା ନେଇ ଆଶା ରଖା ଯାଉଛି। ତେବେ ରେଜଲ୍ଟ ପ୍ରକାଶିତ ହେବା ପରେ ଯଦି କୌଣସି ପିଲାର କୌଣସି ସବଜେକ୍ଟରେ ଖରାପ ହୋଇଛି। ତେବେ ସେହି ଛାତ୍ର କିମ୍ବା ଛାତ୍ରୀ ପୁନର୍ବାର ସେହି ସବଜେକ୍ଟରେ ପରୀକ୍ଷା ଦେଇପାରିବେ।
ତେବେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଗୋଟିଏ ବିଷୟରେ ମାର୍କ ବଢ଼ାଇବାକୁ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷାରେ ପାସ୍ କରିଥିବା ପିଲାମାନେ କେବଳ ଗୋଟିଏ ବିଷୟରେ ଅଧିକ ମାର୍କ ରଖିବା ପାଇଁ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ନିଜ ଇଚ୍ଛା ମୁତାବକ କେବଳ ଗୋଟିଏ ବିଷୟରେ ହିଁ ଏହି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ଏକାଧିକ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ନାହିଁ।