ନୂଆଦିଲ୍ଲୀ: ଦେଶରେ ଜାତିଭିତ୍ତିକ ଜନଗଣନାକୁ ନେଇ ଚାଲିଥିବା ବିବାଦ ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜାତିଭିତ୍ତିକ ଜନଗଣନା ବିରୋଧରେ ଦାୟର ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ବୁଧବାର ମାମଲାର ଶୁଣାଣି କରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜନଗଣନା କେଉଁ ଆଧାରରେ ହେବ ତାହା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବ ନାହିଁ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ବିପୁଲ ଏମ. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁଣାଣି ସମୟରେ ସିଜେଆଇ କହିଛନ୍ତି ଯେ, "ଦେଶରେ ଓବିସି ବର୍ଗର ଜନସଂଖ୍ୟା କେତେ, ତାହା ସରକାରଙ୍କୁ ଜଣା ରହିବା ଆବଶ୍ୟକ। ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା ସମ୍ପର୍କରେ ସଠିକ୍ ତଥ୍ୟ ରହିଲେ ହିଁ ସେମାନଙ୍କ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇପାରିବ। ତେଣୁ ଜନଗଣନାରେ ଜାତିକୁ ସାମିଲ କରାଯିବ କି ନାହିଁ, ତାହା କେବଳ ସରକାର ହିଁ ସ୍ଥିର କରିବେ।"
ଆରମ୍ଭ ହେଲା 'ଜନଗଣନା ୨୦୨୭'ର ପ୍ରଥମ ପର୍ଯ୍ୟାୟ
କୋଭିଡ୍ ମହାମାରୀ କାରଣରୁ ଦୀର୍ଘ ୫ ବର୍ଷ ବିଳମ୍ବରେ ଶେଷରେ ଭାରତରେ ବହୁ ପ୍ରତିକ୍ଷିତ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଏପ୍ରିଲ ୧ ତାରିଖରୁ ‘ଜନଗଣନା ୨୦୨୭’ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଦେଶ ଇତିହାସରେ ପ୍ରଥମ ଥର ପାଇଁ ଏହି ଜନଗଣନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ କରାଯାଉଛି।
ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୬ରୁ ମେ ୧୫ ମଧ୍ୟରେ 'ହାଉସ୍ ଲିଷ୍ଟିଂ' ବା ଘର ଏବଂ ସମ୍ପତ୍ତିର ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ କେବଳ ଗୃହ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବ୍ୟକ୍ତିଗତ ବିବରଣୀ ନିଆଯିବ। ଜନଗଣନାର ଏହି ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ରୁ ଆରମ୍ଭ ହେବ।
ଓଡ଼ିଶା ସମେତ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରକ୍ରିୟା ଜାରି
ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି କାମ ଆରମ୍ଭ କରାଯାଇଛି। ସେଗୁଡ଼ିକ ହେଲା ওଡ଼ିଶା,କର୍ଣ୍ଣାଟକ, ଗୋଆ, ମିଜୋରାମ, ସିକିମ୍, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଦିଲ୍ଲୀର NDMC ଏବଂ ଦିଲ୍ଲୀ କାଣ୍ଟ ଅଞ୍ଚଳ।