ରାୟବରେଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ଅତ୍ୟନ୍ତ ବିବାଦୀୟ ବୟାନ ଦେଇ ଶାସକ ଦଳକୁ କାଠଗଡ଼ାକୁ ଟାଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେ ସିଧାସଳଖ 'ଗଦ୍ଦାର' (ବିଶ୍ୱାସଘାତକ) ବୋଲି ସମ୍ବୋଧନ କରିଛନ୍ତି। ଏହା ସହିତ ଆରଏସଏସ (RSS) ଉପରେ ମଧ୍ୟ ସେ ବର୍ଷିଛନ୍ତି। ରାହୁଲଙ୍କ ଏଭଳି କଡ଼ା ପ୍ରତିକ୍ରିୟା ପରେ ବିଜେପି ମଧ୍ୟ ଚୁପ୍ ବସିନାହିଁ। କଂଗ୍ରେସ ନେତାଙ୍କୁ ‘ଅର୍ବାନ ନକ୍ସଲ’ କହି ବିଜେପି ଜୋରଦାର ପାଲଟା ଜବାବ ଦେଇଛି।
ଦେଶକୁ ମାଡ଼ି ଆସୁଛି ବଡ଼ ଆର୍ଥିକ ମହାବାତ୍ୟା,
ନିଜ ସଂସଦୀୟ କ୍ଷେତ୍ର ରାୟବରେଲୀ ଗସ୍ତ ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ଭାରତର ସମଗ୍ର ଆର୍ଥିକ ବ୍ୟବସ୍ଥାକୁ ବିକ୍ରି କରିଦେଇଛନ୍ତି। ସେ କହିଛନ୍ତି, ଦେଶକୁ ଏକ ବଡ଼ ଆର୍ଥିକ ଝଡ଼ ମାଡ଼ି ଆସୁଛି। ଯେତେବେଳେ ଏହି ସଙ୍କଟ ଆସିବ, ସେତେବେଳେ ନରେନ୍ଦ୍ର ମୋଦୀ କିମ୍ବା ଭାରତ ସରକାର ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ। ସେତେବେଳେ ସେମାନେ ଆପଣଙ୍କ ସାମ୍ନାରେ କାନ୍ଦିବେ ଏବଂ କହିବେ ଯେ ଏଥିରେ ମୋର କୌଣସି ଭୁଲ୍ ନାହିଁ। କିନ୍ତୁ ମୁଁ ଆପଣଙ୍କୁ ଆଗୁଆ କହି ରଖୁଛି, ଏହି ସବୁ ସଙ୍କଟ ପାଇଁ କେବଳ ନରେନ୍ଦ୍ର ମୋଦୀ, ଅମିତ ଶାହ ଏବଂ RSS ଦାୟୀ, କାରଣ ଏମାନେ ଦେଶର ସମ୍ବିଧାନକୁ ଶେଷ କରିଦେଇଛନ୍ତି।"
ହୋର୍ମୁଜ ପ୍ରଣାଳୀ ବିବାଦ ଓ ମହଙ୍ଗା ମାଡ଼ର ଚେତାବନୀ
ରାହୁଲ ଗାନ୍ଧୀ ନିଜ ଭାଷଣରେ ଆନ୍ତର୍ଜାତୀୟ ସ୍ଥିତିର ଉଦାହରଣ ଦେଇ କହିଛନ୍ତି ଯେ, ଭାରତ ଖୁବ୍ ଶୀଘ୍ର ଏକ ଗମ୍ଭୀର ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛି ଏବଂ ଏହାର ସବୁଠାରୁ ବଡ଼ ପ୍ରଭାବ ସାଧାରଣ ଗରିବ ଲୋକଙ୍କ ଉପରେ ପଡ଼ିବ।ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ବିଶ୍ୱ ବାଣିଜ୍ୟ ବହୁତ ପ୍ରଭାବିତ ହୋଇଛି।
ହୋର୍ମୁଜ ପ୍ରଣାଳୀ ଅଶାନ୍ତ ଥିବାରୁ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଆମଦାନୀ ବାଧାପ୍ରାପ୍ତ ହେବ। ଏହା ଦ୍ୱାରା ଆଗାମୀ ଦିନରେ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର ଦାମ୍ ଆକାଶଛୁଆଁ ହେବ। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଜନସାଧାରଣଙ୍କ ମୂଳ ସମସ୍ୟା ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିଛନ୍ତି।