କୋଲକାତା: ପଶ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ଏକ ବଡ଼ ଏବଂ କଠୋର ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର। ଭାରତ-ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ କଣ୍ଟାତାର ବାଡ଼ ନିର୍ମାଣ ପାଇଁ ରାଜ୍ୟ ସରକାର ୪୩ ଏକର ଜମି ସୀମା ସୁରକ୍ଷା ବଳ (BSF) କୁ ହସ୍ତାନ୍ତର କରିବାକୁ ଘୋଷଣା କରିଛନ୍ତି। ଏହି ଜମି ପ୍ରାୟ ୨୭ କିଲୋମିଟର ଦୀର୍ଘ ସୀମାବର୍ତ୍ତୀ ଅଞ୍ଚଳକୁ ସୁରକ୍ଷିତ କରିବ। ଏଥିସହ ନାଗରିକତା ସଂଶୋଧନ ଆଇନ (CAA) ର ପରିସରଭୁକ୍ତ ହେଉନଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ଦେଶକୁ ଫେରାଇବା ପ୍ରକ୍ରିୟା ଆଜିଠାରୁ ରାଜ୍ୟରେ ଲାଗୁ କରାଯାଇଛି।
ରାଜ୍ୟ ସଚିବାଳୟ 'ନବାନ୍ନ'ଠାରେ ବିଏସଏଫ୍ ଅଧିକାରୀଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଙ୍ଗଳାର ସମୁଦାୟ ୨,୨୦୦ କିଲୋମିଟର ସୀମା ମଧ୍ୟରୁ ୧,୬ ୦୦ କିଲୋମିଟରରେ ପୂର୍ବରୁ ବାଡ଼ ଅଛି। ହେଲେ ପୂର୍ବତନ ଟିଏମସି (TMC) ସରକାରଙ୍କ ଉଦାସୀନତା ଯୋଗୁଁ ପ୍ରାୟ ୫୫୦ କିଲୋମିଟର ସୀମା ଖୋଲା ରହିଯାଇଥିଲା, ଯାହା ଜାତୀୟ ସୁରକ୍ଷା ପ୍ରତି ଏକ ବଡ଼ ବିପଦ। ପୂର୍ବ ସରକାର ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି।
‘ଡିଟେକ୍ଟ, ଡିପୋର୍ଟ ଏବଂ ଡିଲିଟ୍’ ଫର୍ମୁଲା
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ‘୩-D’ ଅର୍ଥାତ୍ ଡିଟେକ୍ଟ, ଡିପୋର୍ଟ ଏବଂ ଡିଲିଟ ର କାର୍ଯ୍ୟପନ୍ଥା ସ୍ପଷ୍ଟ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୨୭ କିଲୋମିଟରର ସୀମାବର୍ତ୍ତୀ ଜମି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବିଏସଏଫ୍କୁ ହସ୍ତାନ୍ତର କରାଯିବ। ଏହା ସହିତ ରାଜ୍ୟ ପୋଲିସକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ, ବେଆଇନ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ଗିରଫ କରାଯାଇ ବିଏସଏଫ୍ ହାତରେ ସମ୍ପୂର୍ଣ୍ଣ ଆନୁଷ୍ଠାନିକ ବ୍ୟବସ୍ଥା ମାଧ୍ୟମରେ ସମର୍ପି ଦିଆଯାଉ।
CAA ଆଧାରରେ ମିଳିବ ସୁରକ୍ଷା, ନହେଲେ ହେବେ ବିଦା
ଶୁଭେନ୍ଦୁ ଅଧିକାରୀ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଟିଏମସି ସରକାର ସିଏଏ କୁ କେବଳ ବିରୋଧ କରିଆସିଥିଲା, କିନ୍ତୁ ଆମେ ଏହାକୁ କାର୍ଯ୍ୟକାରୀ କରୁଛୁ। ସିଏଏ ନିୟମ ଅନୁଯାୟୀ, ଯେଉଁ ଅଣ-ମୁସଲିମ ସଂଖ୍ୟାଲଘୁ ସମ୍ପ୍ରଦାୟ (ଯେପରିକି ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ) ବାଂଲାଦେଶ, ପାକିସ୍ତାନ କିମ୍ବା ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଭାରତକୁ ଆସିଛନ୍ତି, ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ। ପୋଲିସ ସେମାନଙ୍କୁ ଗିରଫ କରିପାରିବ ନାହିଁ।
ତେବେ ଯେଉଁମାନେ ଏହି ଆଇନଗତ ପରିସରଭୁକ୍ତ ନୁହନ୍ତି, ସେମାନଙ୍କୁ ସିଧାସଳଖ ଅନୁପ୍ରବେଶକାରୀ ବିବେଚନା କରାଯିବ। ସେମାନଙ୍କୁ ଡିଟେନସନ ସେଣ୍ଟରରେ ରଖାଯିବ। ଏହାପରେ BSF ଏବଂ ବାଂଲାଦେଶର ସୀମା ସୁରକ୍ଷା ବାହିନୀ (BGB) ମଧ୍ୟରେ ଆଲୋଚନା ମାଧ୍ୟମରେ ସେମାନଙ୍କୁ ସୀମା ପାର୍ କରାଇ ନିଜ ଦେଶକୁ ଫେରସ୍ତ ପଠାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।