ଅହମ୍ମଦାବାଦ: ଆଇପିଏଲ୍ ୨୦୨୬ (IPL 2026) ର ଲିଗ୍ ପର୍ଯ୍ୟାୟର ଶେଷ ମୁକାବିଲାରେ ସୃଷ୍ଟି ହୋଇଛି ଏକ ବଡ଼ ଇତିହାସ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ୬୬ତମ ମ୍ୟାଚ୍ରେ ଗୁଜୁରାଟ ଟାଇଟନ୍ସ (GT) ନିକଟରୁ ୮୯ ରନ୍ର ଏକ ବଡ଼ ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (CSK)। ଆଇପିଏଲ୍ ଇତିହାସରେ ରନ୍ ବ୍ୟବଧାନ ହିସାବରେ ଏହା ଚେନ୍ନାଇର ସବୁଠାରୁ ବଡ଼ ବିପର୍ଯ୍ୟୟ। ଏହି ପରାଜୟ ସହ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ଚଳିତ ସିଜନର ପ୍ଲେ-ଅଫ୍ ଦୌଡ଼ରୁ ଆଧିକାରୀକ ଭାବେ ଏଲିମିନେଟ୍ (ବାଦ୍) ହୋଇଯାଇଛି।
ଗୁଜୁରାଟ ବ୍ୟାଟରଙ୍କ ଧମାକା
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଗୁଜୁରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୯ ରନ୍ର ଏକ ପାହାଡ଼ ସଦୃଶ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ ବିସ୍ଫୋରକ ବ୍ୟାଟିଂ କରି ୫୩ ବଲ୍ରୁ ୭ଟି ଚୌକା ଓ ୪ଟି ଛକା ସହ ୮୪ ରନ୍ର ପାଳି ଖେଳିଥିଲେ। ଅନ୍ୟପଟେ କ୍ୟାପଟେନ ଶୁବମନ ଗିଲ୍ (୩୭ ବଲ୍ରୁ ୬୪ ରନ୍) ଏବଂ ଜୋସ୍ ବଟଲର୍ (୨୭ ବଲ୍ରୁ ଅପରାଜିତ ୫୭ ରନ୍) ଚେନ୍ନାଇ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୨୯ ରନ କରି ପାରିଥିଲା।
୨୩୦ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଚେନ୍ନାଇର ବ୍ୟାଟିଂ ଲାଇନ୍-ଅପ୍ ତାସ ଘର ଭଳି ଭୁଶୁଡ଼ି ପଡ଼ିଥିଲା। ଟିମ୍ ମାତ୍ର ୧୩.४ ଓଭରରେ ୧୪୦ ରନ୍ କରି ସମ୍ପୂର୍ଣ୍ଣ ଅଲଆଉଟ୍ ହୋଇଯାଇଥିଲା। ଦଳ ପାଇଁ ଶିବମ ଦୁବେ ୧୭ ବଲ୍ରୁ ୪ଟି ଚୌକା ଓ ୪ଟି ଛକା ସହାୟତାରେ ସର୍ବାଧିକ ୪୭ ରନ୍ର ପାଳି ଖେଳିଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇନଥିଲା।
ଦୁବେ ଏବଂ ଓପନର୍ ମ୍ୟାଥ୍ୟୁ ସର୍ଟ (୨୪)ଙ୍କୁ ଛାଡ଼ିଦେଲେ କୌଣସି ବି ବ୍ୟାଟର ୨୫ ରନ୍ ସୀମା ପାର କରିପାରିନଥିଲେ। ଅଧିନାୟକ ଋତୁରାଜ ଗାଏକ୍ୱାଡ୍ ୧୬ ଏବଂ କାର୍ତ୍ତିକ ଶର୍ମା ୧୯ ରନ୍ କରିଥିବା ବେଳେ ସଞ୍ଜୁ ସାମସନ, ଉର୍ଭିଲ ପଟେଲ ଏବ ସ୍ପେନସର ଜନସନ ଖାତା ଖୋଲିବା ପୂର୍ବରୁ ହିଁ ପଭିଲିୟନ ଫେରିଥିଲେ।
ଗୁଜୁରାଟ ପକ୍ଷରୁ ଘାତକ ବୋଲିଂ କରି ମହମ୍ମଦ ସିରାଜ, କାଗିସୋ ରାବାଡା ଏବଂ ରାଶିଦ ଖାନ୍ ୩ଟି ଲେଖାଏଁ ୱିକେଟ୍ ନେଇ ଚେନ୍ନାଇକୁ ମ୍ୟାଚ୍ରୁ ସମ୍ପୂର୍ଣ୍ଣ ବାହାର କରିଦେଇଥିଲେ।