ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଥିବା “କକ୍ରୋଚ୍ ଜନତା ପାର୍ଟି” (Cockroach Janata Party) ଏବେ ଏକ ବଡ଼ ବିବାଦ ମଧ୍ୟକୁ ଟାଣି ହୋଇଯାଇଛି। ପୂର୍ବରୁ ଏହି ନାମରେ ଏକାଧିକ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ଏବଂ ବ୍ଲକ୍-ରିଷ୍ଟୋର ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ଏହି ମାମଲା ସରକାରୀ ସ୍ତରରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଏହି ସାଟାୟାର୍ ବା ବ୍ୟଙ୍ଗାତ୍ମକ ନାମର ଟ୍ରେଡମାର୍କ ନିଜ ନାଁରେ କରିବା ପାଇଁ ଦୁଇଜଣ ଭିନ୍ନ ବ୍ୟକ୍ତି ସରକାରଙ୍କ ନିକଟରେ ଆବେଦନ କରିଛନ୍ତି।
କଣ୍ଟ୍ରୋଲର ଜେନେରାଲ ଅଫ୍ ପେଟେଣ୍ଟସ୍, ଡିଜାଇନ୍ସ ଆଣ୍ଡ ଟ୍ରେଡମାର୍କସ୍ (CGPDTM) ୱେବସାଇଟ୍ ମୁତାବକ, ‘କ୍ଲାସ ୪୫’ (Class 45) ଅଧୀନରେ ଦୁଇଟି ଆବେଦନ ଦାଖଲ କରାଯାଇଛି ଏବଂ ଏହାର ପ୍ରାଥମିକ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି।
ଟ୍ରେଡମାର୍କ ପାଇଁ ଦୁଇ ଦାବିଦାରଙ୍କ ମଧ୍ୟରେ ଲଢ଼େଇ
ଏହି ଭାଇରାଲ୍ ନାମକୁ ନିଜର ବ୍ରାଣ୍ଡ୍ କରିବା ପାଇଁ ଦୁଇଜଣ ବ୍ୟକ୍ତି ଆଇନଗତ ଆବେଦନ କରିଛନ୍ତି।
ପ୍ରଥମ ଆବେଦନ: ଅଜିମ୍ ଆଦମଭାଇ ଜମ୍ଙ୍କ ପକ୍ଷରୁ “COCKROACH JANTA PARTY” ନାମରେ ଆବେଦନ କରାଯାଇଛି, ଯାହାର ଆପ୍ଲିକେସନ ନମ୍ବର ୭୭୩୭୯୩୭ ରହିଛି।
ଦ୍ଵିତୀୟ ଆବେଦନ: ଅଖଣ୍ଡ ସ୍ଵରୂପ ନାମକ ଜଣେ ବ୍ୟକ୍ତି “Cockroach Janta Party” ନାମରେ ଦ୍ୱିତୀୟ ଆବେଦନ କରିଛନ୍ତି, ଯାହାର ଆପ୍ଲିକେସନ ନମ୍ବର ୭୭୪୧୪୮୧ ରହିଛି।
ମଜାକରୁ ଆରମ୍ଭ ହୋଇଥିଲା ‘କକ୍ରୋଚ୍ ଜନତା ପାର୍ଟି’
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନାମଟିକୁ ବୋଷ୍ଟନ ୟୁନିଭର୍ସିଟିର ଛାତ୍ର ତଥା ପଲିଟିକାଲ କମ୍ୟୁନିକେସନ ଷ୍ଟ୍ରାଟେଜିଷ୍ଟ ଅଭିଜିତ ଦିପକେ ଆରମ୍ଭ କରିଥିଲେ। ଇଣ୍ଟରନେଟ୍ରେ କେବଳ ମଜା ଏବଂ ବ୍ୟଙ୍ଗ କରିବା ଉଦ୍ଦେଶ୍ୟରେ ସେ ଏହି ନାମର ବ୍ୟବହାର କରିଥିଲେ, ଯାହା ପରବର୍ତ୍ତୀ ସମୟରେ ମୀମ୍ସ (Memes) ଜରିଆରେ ବେଶ୍ ଭାଇରାଲ୍ ହୋଇଥିଲା।