ନୂଆଦିଲ୍ଲୀ: ସେବା ତୀର୍ଥଠାରେ ଆୟୋଜିତ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ତଥା ଦୀର୍ଘ ମାରାଥନ୍ ବୈଠକ ଶେଷ ହୋଇଛି। ପ୍ରାୟ ସାଢ଼େ ଚାରି ଘଣ୍ଟା ଧରି ଚାଲିଥିବା ଏହି ହାଇପ୍ରୋଫାଇଲ୍ ବୈଠକରେ ସରକାରଙ୍କ ପ୍ରମୁଖ ଏଜେଣ୍ଡା, ଆଗାମୀ ସଂସ୍କାର ଏବଂ ଭବିଷ୍ୟତର ରୋଡମ୍ୟାପ୍କୁ ନେଇ ବ୍ୟାପକ ଆଲୋଚନା କରାଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମନ୍ତ୍ରୀ ଓ ବିଭାଗକୁ ଦେଶର ବିକାଶ ପାଇଁ ଏକ ନୂଆ ମନ୍ତ୍ର ଦେଇଛନ୍ତି।
‘ବିକଶିତ ଭାରତ ୨୦୪୭’ କେବଳ ସ୍ଲୋଗାନ ନୁହେଁ: ପ୍ରଧାନମନ୍ତ୍ରୀ
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇ କହିଛନ୍ତି ଯେ, "ବିକଶିତ ଭାରତ ୨୦୪୭" କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ସରକାରଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା। ସମସ୍ତ ମନ୍ତ୍ରଣାଳୟ ନିଜ ନିଜର କାର୍ଯ୍ୟ ଯୋଜନାକୁ ୨୦୪୭ର ଭିଜନ ସହ ଯୋଡ଼ି ପ୍ରସ୍ତୁତ କରନ୍ତୁ। ପିଏମ୍ ମୋଦୀ କହିଛନ୍ତି, "ଯାହା ହୋଇଯାଇଛି ତାକୁ ପଛରେ ଛାଡ଼ନ୍ତୁ, ଏବେ ସମ୍ପୂର୍ଣ୍ଣ ଫୋକସ୍ ଭବିଷ୍ୟତ ଉପରେ ରହିବା ଦରକାର।"
‘ଇଜ୍ ଅଫ୍ ଲିଭିଙ୍ଗ୍’ ଏବଂ ସଂସ୍କାର ଉପରେ ଗୁରୁତ୍ୱ
ଏହି ବୈଠକରେ ସାଧାରଣ ଜନତାଙ୍କ ଜୀବନଧାରଣ ପ୍ରଣାଳୀକୁ ସହଜ କରିବା (Ease of Living) ଏବଂ ଭିତ୍ତିଭୂମିଗତ ସଂସ୍କାର (St ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପ୍ରତିଟି ମନ୍ତ୍ରଣାଳୟ ଜନହିତକୁ ସର୍ବୋପରି ମାନି କାମ କରିବା ଉଚିତ୍। ଜନସାଧାରଣଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ହିଁ ସରକାରଙ୍କ ମୂଳ ଲକ୍ଷ୍ୟ।
‘କମ୍ ହସ୍ତକ୍ଷେପ, ଅଧିକ ସହଯୋଗ’
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ, ସରକାର ସାଧାରଣ ଲୋକଙ୍କ ଜୀବନରେ ଅନାବଶ୍ୟକ ହସ୍ତକ୍ଷେପ କରିବା ଅପେକ୍ଷା ସେମାନଙ୍କୁ ସଠିକ୍ ସମୟରେ ସହଯୋଗ ଓ ସୁଧାର ଯୋଗାଇଦେବା ଆବଶ୍ୟକ। ଏହି ଆଭିମୁଖ୍ୟ ସରକାରଙ୍କ ‘ମିନିମମ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ ଗଭର୍ଣ୍ଣାନ୍ସ’ (ସୀମିତ ସରକାର, ସର୍ବାଧିକ ଶାସନ) ନୀତିକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
ଅଧା ଡଜନରୁ ଅଧିକ ମନ୍ତ୍ରଣାଳୟର ପ୍ରେଜେଣ୍ଟେସନ
ବୈଠକ ଅବସରରେ ପ୍ରାୟ ୬ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କର କାର୍ଯ୍ୟକାରୀ ଯୋଜନା ଓ ଭବିଷ୍ୟତର ପ୍ରକଳ୍ପ ସମ୍ପର୍କରେ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ଦିଆଯାଇଥିଲା। ବିଭିନ୍ନ ସେକ୍ଟରରେ ଚାଲିଥିବା ସଂସ୍କାରମୂଳକ କାର୍ଯ୍ୟ ଏବଂ ଆଗାମୀ ବଡ଼ ପ୍ରୋଜେକ୍ଟଗୁଡ଼ିକୁ ନେଇ ମନ୍ତ୍ରୀମାନଙ୍କ ମଧ୍ୟରେ ବିସ୍ତୃତ ସମୀକ୍ଷା ହୋଇଛି।
ଫାଇଲ୍ କାମରେ ବିଳମ୍ବ ସହିବେନି ସରକାର
ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ସ୍ପୀଡ୍ ଆଣିବା ପାଇଁ ପ୍ରଧାନମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବି ସ୍ତରରେ ଯେପରି ଅନାବଶ୍ୟକ ଭାବେ ଫାଇଲ୍ ପଡ଼ି ନରହେ କିମ୍ବା ନାଲିଫିତା ପ୍ରଥାର ଅଡ଼ୁଆ ସୃଷ୍ଟି ନହୁଏ, ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି। ଏହାସହ ଉପଲବ୍ଧ ସମୟ ମଧ୍ୟରେ ସର୍ବାଧିକ ଉତ୍ପାଦକତା (Productivity) ହାସଲ କରିବାକୁ ସେ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।