ନୂଆଦିଲ୍ଲୀ: ଇବୋଲା ଭାଇରସକୁ ନେଇ କେନ୍ଦ୍ର ସରକାର ସଜାଗ ହୋଇଯାଇଛନ୍ତି । ଇବୋଲା ପାଇଁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ଇବୋଲା ଭାଇରସକୁ ନଜରରେ ରଖି ଦିଲ୍ଲୀ ବିମାନବନ୍ଦରରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀ, ବିଶେଷ କରି ଇବୋଲା ଭାଇରସରେ ସଂକ୍ରମିତ ଦେଶ ଗୁଡ଼ିକ ଯଥା- କଙ୍ଗୋ, ଉଗାଣ୍ଡା ଏବଂ ସାଉଥ୍ ସୁଦାନ ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ଠାରେ ଯଦି ଇବୋଲା ସଂକ୍ରମଣର ଲକ୍ଷଣ ଯଥା- ଜ୍ୱର, ଦୁର୍ବଳ ଲାଗିବା, ମୁଣ୍ଡ ବ୍ୟଥା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି, ଝାଡ଼ାବାନ୍ତି, ଅସ୍ପଷ୍ଟ ରକ୍ତସ୍ରାବ କିମ୍ବା ଗଳାରେ କଷ୍ଟ ଅନୁଭୂତ ହେଉଥାଏ ତେବେ ତୁରନ୍ତ ବିମାନ ବନ୍ଦରର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ହେଲଥ୍ ଡେସ୍କରେ ଜଣାଇବାକୁ କୁହାଯାଇଛି । ଇମିଗ୍ରେସନ୍ କ୍ଲିରାନ୍ସ ପୂର୍ବରୁ ହେଲଥ୍ ଡେସ୍କରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଛି ।
ଖାଲି ସେତିକି ନୁହେଁ ଯେଉଁ ଯାତ୍ରୀ ଭାରତରେ ପହଁଞ୍ଚିବାର ୨୧ ଦିନ ପର୍ଯ୍ୟନ୍ତ ଏଭଳି କିଛି ଲକ୍ଷଣ ଦେଖନ୍ତି କିମ୍ବା ପରୀକ୍ଷାରେ ଇବୋଲା ସଂକ୍ରମିତ ଥିବା ଜାଣନ୍ତି ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ କୁହାଯାଇଛି ।