ଝାରସୁଗୁଡ଼ାର ସରବାହାଲ ନୂଆପଡ଼ାରେ ଏକ ସନ୍ଦେହ ନେଇ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ମା’ଙ୍କ ସହ ପଡ଼ୋଶୀଙ୍କର ଅନୈତିକ ସମ୍ପର୍କ ଥିବା ସନ୍ଦେହକୁ କେନ୍ଦ୍ର କରି ଦୁଇ ଭାଇ ଏବଂ ଜଣେ ସହଯୋଗୀ ମିଶି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମୃତକ ସୁନ୍ଦର ରୋହିଦାସ ସରବାହାଲ ନୂଆପଡ଼ାର ଏକ ଭଡ଼ାଘରେ ରହୁଥିଲେ। ଅଭିଯୁକ୍ତ ହିତେଶ ରୋହିଦାସ ନିଜ ମା’ଙ୍କ ସହ ସୁନ୍ଦରଙ୍କର ପରକୀୟା ପ୍ରୀତି ସନ୍ଦେହ କରୁଥିଲେ। ଏହି ସନ୍ଦେହ ଧୀରେଧୀରେ ପ୍ରତିଶୋଧର ରୂପ ନେଇଥିଲା। ପରେ ହିତେଶ ତାଙ୍କ ବଡ଼ ଭାଇ ଲିଙ୍ଗରାଜ ଓ ସହଯୋଗୀ ମଙ୍ଗଳ ସାହୁଙ୍କ ସହ ମିଶି ସୁନ୍ଦରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।
ମଙ୍ଗଳବାର ରାତି ପ୍ରାୟ ୧୧.୩୦ଟାରେ ତିନି ଅଭିଯୁକ୍ତ ସୁନ୍ଦରଙ୍କ ଘରେ ପଶିଥିଲେ। ପ୍ରଥମେ ବଚସା ହୋଇଥିବା ବେଳେ ପରେ ଘଟଣା ହିଂସାତ୍ମକ ରୂପ ନେଇଥିଲା। ଲିଙ୍ଗରାଜ ଏକ ବାଡ଼ିରେ ଆକ୍ରମଣ କରିଥିବା ବେଳେ ହିତେଶ ସାଇକେଲର ହ୍ୟାଣ୍ଡେଲ ରଡ଼ରେ ସୁନ୍ଦରଙ୍କ ମୁଣ୍ଡ ଓ ଶରୀରକୁ ଲଗାତାର ଆଘାତ କରିଥିଲେ। ଗୁରୁତର ଆଘାତରେ ସୁନ୍ଦର ରକ୍ତାକ୍ତ ହୋଇ ପଡ଼ିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ଝାରସୁଗୁଡ଼ା ସଦର ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ସାଇକେଲ ହ୍ୟାଣ୍ଡେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ପଚରାଉଚରା ବେଳେ ହିତେଶ ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ପୋଲିସ କହିଛି, ମା’ଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ ହିଁ ଏହି ହତ୍ୟାକାଣ୍ଡର ମୂଳ କାରଣ। ବଡ କଥା ହେଉଛି, ଦୁଇ ଭାଇଙ୍କ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି।