ଢେଙ୍କାନାଳରେ ବେଆଇନ ବାଲି ଚାଲାଣକୁ ନେଇ ଚମକାଉଥିବା ଘଟଣା ସାମ୍ନାକୁ ଆସିଛି। ଚଢ଼ାଉ କରିବାକୁ ଯାଇଥିବା ପୋଲିସ ଟିମ୍ ଉପରେ ଆକ୍ରମଣ କରିଛନ୍ତି ବାଲି ମାଫିଆ। ପଥର ମାଡ଼ ସହ ପୋଲିସ କବଜାରୁ ବାଲି ଭର୍ତ୍ତି ଟ୍ରାକ୍ଟର ଛଡେଇ ନେଇ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତମାନେ।
ମଙ୍ଗଳବାର ଦିନ ଢେଙ୍କାନାଳର ଭୁବନ ଥାନା ଅଧୀନ ମୃଦଙ୍ଗା ଗାଁରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଭୁବନ ଥାନା ଆଇଆଇସି ରେଣୁବାଳା ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏକ ବାଲି ଭର୍ତ୍ତି ଟ୍ରାକ୍ଟରକୁ ଅଟକାଇଥିଲେ।
କିନ୍ତୁ ଏହାପରେ ପରିସ୍ଥିତି ଉତ୍ତେଜନାମୟ ହୋଇଯାଇଥିଲା। କେତେକ ଯୁବକ ହଠାତ୍ ପୋଲିସ ଟିମ୍ ଉପରେ ଆକ୍ରମଣ କରି ପଥର ମାଡ଼ ଆରମ୍ଭ କରିଥିଲେ। ଧସ୍ତାଧସ୍ତି ବେଳେ ଆଇଆଇସି ରେଣୁବାଳା ସାହୁ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ପୋଲିସ କବଜାରୁ ଟ୍ରାକ୍ଟରକୁ ଛଡେଇ ନେଇ ଘଟଣାସ୍ଥଳରୁ ପଳାଇଯାଇଥିଲେ।
ଘଟଣା ପରେ ପୋଲିସ ତଦନ୍ତ ଜୋରଦାର କରିଛି। ଏହି ମାମଲାରେ କଥିତ ମାଷ୍ଟରମାଇଣ୍ଡ ଭରତ ଦାସ ଏବଂ ଟ୍ରାକ୍ଟର ମାଲିକ ଦେବାଶିଷ ଦାସଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣାରେ ଜଡିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଛି। ତେବେ ଏହି ଘଟଣା ପୁଣିଥରେ ଅଞ୍ଚଳରେ ସକ୍ରିୟ ବାଲି ମାଫିଆଙ୍କ ବଢ଼ୁଥିବା ଦାଦାଗିରିକୁ ସାମ୍ନାକୁ ଆଣିଛି।