ଝାରସୁଗୁଡାରେ ଆଜି ସକାଳୁ ବଡ଼ ଏନକାଉଣ୍ଟର। ଏଥିରେ ୨ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର। ଗତକାଲି ଝାରସୁଗୁଡା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ଘଟଣାର ଏହି ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଥିଲେ।
ଗତକାଲି ଅଭିଯୁକ୍ତମାନେ ଏକ କାରରେ ଯାଉଥିଲେ। ସେହି ସମୟରେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗରରେ ଦୁର୍ଘଟଣା ହୋଇଥିଲା। ଏହାପରେ ପାଟି ତୁଣ୍ଡ ହେବାରୁ ଅଭିଯୁକ୍ତ ଚାନ୍ଦ ବନଛୋର ଏବଂ ବାବୁ ବନଛୋର ସେମାନଙ୍କୁ ଆକ୍ରମଣ କରିଥିଲେ। ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତ ଅଟକ ଥିଲେ।
ମାମଲାରେ ସମ୍ପୃକ୍ତ ୨ମୁଖ୍ୟ ଅଭିଯୁକ୍ତ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ଫେରାର ରହିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା। ଆଜି ସକାଳୁ ଖବରପାଇ ପୋଲିସ ଉଭୟଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ୪ରାଉଣ୍ଡ ଗୁଳିଚାଳନା କରିଥିଲେ ଅଭିଯୁକ୍ତ। ପୋଲିସର ପାଲଟା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି।
ଦୁଇ ଅଭିଯୁକ୍ତଙ୍କ ଜଙ୍ଘରେ ଗୁଳି ବାଜିଥିବା ନେଇ ସୂଚନା ଦେଇଛନ୍ତି ବେଲପାହାଡ଼ ଆଇ.ଆଇ.ସି.। ଆହତ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ଏକାଧିକ ମାମଲା ରହିଛି।