ଭୁବନେଶ୍ୱର: ବାଲିଅନ୍ତାରେ କନଷ୍ଟେବଳ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା। ଏହି ବହୁଚର୍ଚ୍ଚିତ ଓ ସମ୍ବେଦନଶୀଳ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସିସିଟିଭି ଫୁଟେଜ୍ ଓ ବିଭିନ୍ନ ଭିଡିଓ ରେକର୍ଡିଂରୁ ମଜଭୁତ ପ୍ରମାଣ ମିଳିଥିବାବେଳେ, ଏବେ କ୍ରାଇମବ୍ରାଞ୍ଚର ପ୍ରଧାନ ଲକ୍ଷ୍ୟ ହେଉଛି ଅଭିଯୁକ୍ତମାନଙ୍କୁ ଗିରଫ କରିବା।
ଡିଜି ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତରେ ବୈଜ୍ଞାନିକ ପଦ୍ଧତିକୁ ଗୁରୁତ୍ୱ ଦିଆଯାଉଛି। କୋର୍ଟରେ କୌଣସି ଦୁର୍ବଳତା ନ ରହିବା ପାଇଁ ପ୍ରମାଣଭିତ୍ତିକ ତଦନ୍ତ କରାଯାଉଥିବାରୁ କିଛି ବିଳମ୍ବ ହେଉଛି। ତେବେ ଲୋକଙ୍କ ଆକ୍ରୋଶ ଓ ତୁରନ୍ତ ନ୍ୟାୟ ଦାବି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏବେ ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ଏହି ମାମଲାରେ କ୍ରାଇମବ୍ରାଞ୍ଚ ସାମ୍ନାରେ ଏବେ ରହିଛି ୪ଟି ବଡ଼ ଚ୍ୟାଲେଞ୍ଜ। ପ୍ରଥମେ, ନିଖୁଣ ତଦନ୍ତ ସହ ଜନଅସନ୍ତୋଷକୁ ସମ୍ଭାଳିବା। ଦ୍ୱିତୀୟରେ, ଫରାର ଅଭିଯୁକ୍ତମାନଙ୍କୁ ଧରିବା। ସନ୍ଦେହ କରାଯାଉଛି କେତେକ ଅଭିଯୁକ୍ତ ରାଜ୍ୟ ବାହାରକୁ ପଳାଇଥାଇପାରନ୍ତି। ତୃତୀୟ ଚ୍ୟାଲେଞ୍ଜ ହେଉଛି ପୀଡ଼ିତ ପରିବାରର ଦାବି ଓ ତଦନ୍ତର ସୀମିତ ପରିସର ମଧ୍ୟରେ ସମନ୍ୱୟ ରଖିବା। ଚତୁର୍ଥରେ, କ୍ରାଇମବ୍ରାଞ୍ଚ ଓ କମିଶନରେଟ୍ ପୋଲିସର ସମାନ୍ତରାଳ ତଦନ୍ତ ମଧ୍ୟରେ ଉଚିତ୍ ସମନ୍ୱୟ ରକ୍ଷା କରିବା।
ଗୋଟିଏ ପଟେ ଅପରାଧିକ ତଦନ୍ତ, ଅନ୍ୟପଟେ ବିଭାଗୀୟ ଯାଞ୍ଚ, ଏହି ଦୁଇମୁଖୀ ତଦନ୍ତ ମଧ୍ୟରେ କୌଣସି ପ୍ରମାଣ ନଷ୍ଟ ନହେବା ଏବଂ ଦୋଷୀମାନେ ଶାସ୍ତି ପାଇବା ନିଶ୍ଚିତ କରିବା ଏବେ କ୍ରାଇମବ୍ରାଞ୍ଚ ପାଇଁ ସବୁଠୁ ବଡ଼ ପରୀକ୍ଷା।