ପୁରୀ ଜିଲ୍ଲା କଣାସରେ ମାଛ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିବା ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍ ହାପି ଆତ୍ମସମର୍ପଣ କରିଛି। ପୁଲିସର ତତ୍ପରତା ଭିତରେ ହାପି ପୁରୀ କୋର୍ଟରେ ସରେଣ୍ଡର କରିଛି। ଘଟଣାରେ ପୂର୍ବରୁ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବାବେଳେ ରାୟପୁରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ରାୟପୁରରୁ ବଳରାମକୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଏହି ଘଟଣାରେ ପୁରୀ ଏସ୍ପି କଣାସ ଥାନାର ୩ ଏଏସ୍ଆଇଙ୍କୁ ମଧ୍ୟ ବଦଳି କରିଛନ୍ତି। ଜୁମର ବିଶ୍ଵାଳ, ସଞ୍ଜୟ ପାଟ୍ଟଶାଣୀ ଓ ସନ୍ତୋଷ ଉଦୟସିଂହଙ୍କୁ ଅସ୍ତରଙ୍ଗ, କାକଟପୁର ଓ କୃଷ୍ଣପ୍ରସାଦ ଥାନାକୁ ବଦଳି କରାଯାଇଛି।
ଘଟଣା ମୁତାବିକ, କଣାସ ଥାନା ଦୋକନ୍ଦା ଗାଁର ମୃତ୍ୟୁଞ୍ଜୟ ଭାରିମଳଙ୍କୁ ଗୋଲାବଜାର ମାଛ ମାର୍କେଟ ନିକଟରେ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୩ରୁ ୬ ଜଣ ଦୁର୍ବୃତ୍ତ ଏକ ଧାରୁଆ ପନିକିରେ ମୃତ୍ୟୁଞ୍ଜୟଙ୍କୁ ନିର୍ମମ ଭାବେ ହାଣିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପଡ଼ି ରହିଥିବାବେଳେ ବଜାରରେ ଦୁର୍ବୁତ୍ତମାନେ ଆତଙ୍କ ଖେଳାଇଥିଲେ।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାର ୩୬ ଘଣ୍ଟା ମଧ୍ୟରେ ପୋଲିସ ପୂର୍ବରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ଚଢାଉ ସମୟରେ, ଅନ୍ୟ ଜଣେ ସହଯୋଗୀ, ବଳରାମ ଛୋଟରାୟ ଓରଫ ନିଲୁକୁ ରାୟପୁରରୁ ଗିରଫ କରାଯାଇଥିଲା। ସେ ଚାନ୍ଦପଡ଼ା ଗାଁର ଏବଂ ତାଙ୍କୁ ମେ ୯ ତାରିଖରେ କୋର୍ଟରେ ହାଜର କରାଯାଇଥିଲା।
ପୋଲିସର ନିରନ୍ତର ଚାପ ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେତୁ, ଚାନ୍ଦପଡା ଗ୍ରାମର ଶେଷଦେବ ମହାପାତ୍ରଙ୍କ ପୁଅ ସୁଧାଂଶୁ ମହାପାତ୍ର କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେ କେନାଲ ରୋଡ ଅଞ୍ଚଳରେ ରୁହନ୍ତି। କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ପୋଲିସ ଅଧିକ ପଚରାଉଚରା ପାଇଁ ରିମାଣ୍ଡ ନେବାକୁ ପଦକ୍ଷେପ ଆରମ୍ଭ କରିଛି।