ଜାମସେଦପୁର: ଏକ ବିଭତ୍ସ ହତ୍ୟାକାଣ୍ଡରେ ଥରି ଉଠିଛି ଝାଡ଼ଖଣ୍ଡ ଜାମସେଦପୁର ସହର । ଏଗ୍ରିକୋରେ ଘଟିଛି ଟ୍ରିପଲ୍ ମର୍ଡର । ଜଣେ ଅବସରପ୍ରାପ୍ତ ଟାଟା ଷ୍ଟିଲ୍ କର୍ମଚାରୀ ନିଜର ପରିବାର ତିନି ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି । ପତ୍ନୀ ଓ ପୁଅ ଏବଂ ଘରକୁ ବୁଲି ଆସିଥିବା ଗର୍ଭବତୀ ଝିଅକୁ କରିଛନ୍ତି ବିଭତ୍ସ ହତ୍ୟା । ଏଗ୍ରିକୋ କ୍ରସ୍ ରୋଡ୍ ନମ୍ବର ୧୩ ରେ ଅବସ୍ଥିତ କ୍ୱାର୍ଟର ନମ୍ବର ଖ-୧୩ ରେ ଘଟିଛି ଏହି ହତ୍ୟାକାଣ୍ଡ ।
ରିପୋର୍ଟ ଅନୁସାରେ, ସୋମବାର ସକାଳେ ଅବସରପ୍ରାପ୍ତ ଟାଟା ଷ୍ଟିଲ୍ କର୍ମଚାରୀ ରବିନ୍ଦ୍ର ସିଂହଙ୍କ ଘର ଖୋଲି ନ ଥିଲା । ବହୁତ ସମୟ ଧରି ଘର କେହି ପଦାକୁ ନ ବାହାରିବାରୁ ପଡ଼ୋଶୀମାନେ ସନ୍ଦେହ ପ୍ରକାଶ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଘର କବାଟ ଖୋଲିବା ବେଳକୁ ସମସ୍ତ ଛାତି ଥରି ଉଠିଥିଲା । ଘରର ବିଭିନ୍ନ ସ୍ଥାନରେ ତିନୋଟି ରକ୍ତ ଜୁଡୁବୁଡୁ ମୃତ ଦେହ ପଡ଼ିଥିଲା। ମୃତକମାନେ ହେଲେ ରବିନ୍ଦ୍ର ସିଂହଙ୍କ ସ୍ତ୍ରୀ ସରିତା ସିଂହ (୫୫), ତାଙ୍କ ଝିଅ ସୁପ୍ରିୟା ସିଂହ (୩୧) ଏବଂ ତାଙ୍କ ପୁଅ ରବି ଶଙ୍କର ସିଂହ (୨୯) । ତାଙ୍କ ଝିଅ ସୁପ୍ରିୟା ୩ ମାସର ଗର୍ବବତୀ ଥିଲେ ।
ଝିଅ ସୁପ୍ରିୟା ଗତ ନଭେମ୍ବର ମାସରେ ବିବାହ କରିଥିଲେ। ସେ ତିନି ମାସର ଗର୍ଭବତୀ ଥିଲେ ଏବଂ ତାଙ୍କ ବାପାମାଆଙ୍କୁ ଭେଟିବା ପାଇଁ ଗତକାଲି ରାତିରେ ବାପାଙ୍କ ଘରକୁ ଆସିଥିଲେ । ପରିବାର ସଦସ୍ୟମାନେ କହିଛନ୍ତି ଯେ ରାତିରେ ମାଆ ଏବଂ ଝିଅଙ୍କ ମଧ୍ୟରେ ଏକ ସାଧାରଣ କଥାବାର୍ତ୍ତା ହୋଇଥିଲା ଏବଂ ସବୁକିଛି ଠିକ୍ ଥିବା ପରି ମନେ ହେଉଥିଲା । କିନ୍ତୁ ସକାଳୁ ସମସ୍ତଙ୍କ ମୃତ ଦେହ ମିଳିଥିଲା ।
ମୃତ ସରିତା ସିଂହଙ୍କ ଭାଇ ଉଦୟ ସିଂହ କହିଛନ୍ତି ଯେ ପରିବାର ମଧ୍ୟରେ ବେଳେବେଳେ ଛୋଟମୋଟ ବିବାଦ ଲାଗି ରୁହେ । ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ରବିନ୍ଦ୍ରକୁ ନିଜ ହେପାଜତକୁ ନେଇଛି । ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ କହିଛି ଯେ ସମସ୍ତଙ୍କୁ କୌଣସି ଶକ୍ତ ଜିନିଷରେ ଆଘାତ ଦିଆଯାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିପରି ହତ୍ୟା ହୋଇଛି ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।