ଖୋର୍ଦ୍ଧା: ମୃତ ବାପା-ମା’ଙ୍କ ଡେଥ୍ ସାର୍ଟିଫିକେଟ୍ ପାଇବାକୁ ବି ଲାଞ୍ଚ ଦେବାକୁ ପଡ଼ୁଛି। ଏଭଳି ଏକ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ହଳଦିଆ କମ୍ୟୁନିଟି ହେଲ୍ଥ ସେଣ୍ଟରର ଜଣେ ସ୍ୱାସ୍ଥ୍ୟକର୍ମୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଭିଯୁକ୍ତ ସ୍ୱାସ୍ଥ୍ୟକର୍ମୀ ବିଭୂତି ଭୂଷଣ ସାହୁ ଅଭିଯୋଗକାରୀଙ୍କ ମୃତ ବାପା ଓ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ଜାରି ପାଇଁ ଫାଇଲ୍ ପ୍ରକ୍ରିୟାକରଣ ନାମରେ ଏକ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ସୂଚନା ଅନୁସାରେ, ଅଭିଯୋଗକାରୀ ପୂର୍ବରୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଉପଜିଲ୍ଲାପାଳ ମଧ୍ୟ ହଳଦିଆ ସିଏଚସିର ଜନ୍ମ-ମୃତ୍ୟୁ ପଞ୍ଜିକରଣ କର୍ତ୍ତୃପକ୍ଷଙ୍କୁ ସାର୍ଟିଫିକେଟ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ବିଭୂତି ଭୂଷଣ ସାହୁ ଲାଞ୍ଚ ନ ପାଇଲେ କାମ କରିବେ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି।
ଏହାପରେ ପୀଡ଼ିତ ବ୍ୟକ୍ତି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଅଧିକାରୀମାନେ ଜାଲ ବିଛାଇଥିଲେ। ଆଉ ଲାଞ୍ଚ ଟଙ୍କା ନେଉଥିବା ବେଳେ ବିଭୂତି ଭୂଷଣଙ୍କୁ ଟଙ୍କା ସହ ଧରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଘଟଣା ପରେ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ମୃତ୍ୟୁ ପ୍ରମାଣପତ୍ର ଭଳି ଜରୁରୀ ସରକାରୀ ଦସ୍ତାବିଜ ପାଇଁ ଲାଞ୍ଚ ଦାବି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।