ଭୁବନେଶ୍ୱର: ୧୨ ବର୍ଷ ପରେ ମିଳିଲା ନ୍ୟାୟ। ଚର୍ଚ୍ଚିତ ସୋନୁ ହତ୍ୟାକାଣ୍ଡ ମାମଲାରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ, ଭରତ ସାହୁ ଓ ସାଗର ପୃଷ୍ଟିଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଏହି ରାୟ ଦେଇଛନ୍ତି।
୨୦୧୪ ମସିହାରେ ଭୁବନେଶ୍ୱର ସରକନ୍ତରା ଅଞ୍ଚଳରେ ସୁଧ ଟଙ୍କା କାରବାରକୁ ନେଇ କୃତିବାସ ପରିଜା ଓରଫ ସୋନୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ଅଭିଯୁକ୍ତମାନେ ଶବକୁ ବାଥରୁମରେ ଖଣ୍ଡଖଣ୍ଡ କରି ପଲିଥିନରେ ଭରି ରାଜଧାନୀର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ। ପରେ ଖପୁରୀକୁ ଦୟା ନଦୀରେ ଫୋପାଡ଼ି ଦେଇଥିଲେ।
ନାଥପୁର ପଠା ନିକଟରୁ ମିଳିଥିବା ଖଣ୍ଡ ବିଖଣ୍ଡିତ ଖପୁରୀକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ଡିଏନଏ ଟେଷ୍ଟ ମାଧ୍ୟମରେ ଏହା ସୋନୁଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଘଟଣା ପରେ ନୟାଗଡ଼ରୁ ସିମ୍ କିଣି ଅଭିଯୁକ୍ତମାନେ ପ୍ଲାନ୍ କରିଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିଲା। ଦୀର୍ଘ ୧୨ ବର୍ଷ ପରେ କୋର୍ଟର ରାୟ ସହ ସୋନୁଙ୍କ ପରିବାରକୁ ନ୍ୟାୟ ମିଳିଥିବା ବେଳେ ଏହି ମାମଲା ପୁଣିଥରେ ରାଜଧାନୀର ଚର୍ଚ୍ଚିତ ହତ୍ୟାକାଣ୍ଡକୁ ମନେ ପକାଇଦେଇଛି।