କୋରାପୁଟ ଜିଲ୍ଲାରେ ମନ୍ଦିର ଓ ଘର ଚୋରି ଘଟଣାର ଚାଞ୍ଚଲ୍ୟକର ପର୍ଦ୍ଦାଫାସ କରିଛି ପୋଲିସ। କୁମୁଲି ନୂତନ ଜଗନ୍ନାଥ ମନ୍ଦିର ଓ ବିଡିଗାଁରେ ଘଟିଥିବା ଦୁଇଟି ବଡ଼ ଚୋରି ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଘଟଣାରେ ଜଣେ ମହିଳା ସକ୍ରିୟ ଭୂମିକାରେ ଥିବା ତଦନ୍ତରୁ ସାମ୍ନାକୁ ଆସିଛି।
ଗତ ଏପ୍ରିଲ ୧୪ ତାରିଖରେ କୁମୁଲି ଗ୍ରାମର ନୂତନ ଜଗନ୍ନାଥ ମନ୍ଦିରରୁ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା, ସୁନା-ରୁପା ଅଳଙ୍କାର ଲୁଟି ନେଇଥିଲେ। ଏପରିକି ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭି ହାର୍ଡଡିସ୍କ ମଧ୍ୟ ସାଙ୍ଗରେ ନେଇଯାଇଥିଲେ। ଏହାର କିଛି ଦିନ ପରେ ବିଡିଗାଁର ଏକ ଘରୁ ମଧ୍ୟ ସୁନା, ରୁପା ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିଲା। ଏହି ଦୁଇ ଘଟଣାର ତଦନ୍ତ ଚାଲିଥିବା ବେଳେ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ ଲାଠିକଟା ଓ ଭାଲୁମହଲ ଜଙ୍ଗଲ ମଧ୍ୟରେ କିଛି ସନ୍ଦିଗ୍ଧ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଛନ୍ତି। ତୁରନ୍ତ ଚଢ଼ାଉ କରି ପୋଲିସ ସ୍ୱାମୀ-ସ୍ତ୍ରୀଙ୍କ ସହ ଜଣେ ସହଯୋଗୀଙ୍କୁ କାବୁ କରିଥିଲା।
ପଚରାଉଚରା ବେଳେ ସେମାନେ ମନ୍ଦିର ଓ ଘର ଚୋରିରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତଙ୍କ ଠାରୁ ସୁନା, ରୁପା, ସାଳଗ୍ରାମ, ରୁଦ୍ରାକ୍ଷ, ପୁରୁଣା ମୁଦ୍ରା, ନୋଟ, ୩ଟି ବାଇକ୍, ଖଣ୍ଡା, ଛୁରୀ, ଲୁହା ଛଡ଼, ଲଙ୍କା ଗୁଣ୍ଡ ଓ ମୋବାଇଲ ଫୋନ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ନନ୍ଦିନୀ ଦାସ ଓରଫ ଲକ୍ଷ୍ମୀ, ତାଙ୍କ ସ୍ୱାମୀ ସୁରେଶ ଦାସ ଏବଂ ହେବେଲ ଖୋସଲା। ତେବେ ଏହି ଚୋରି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଥିବାବେଳେ ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।