ରାୟଗଡ଼ା ଜିଲ୍ଲା କୋଲନାରା ବ୍ଲକର ଗ୍ରାମୀଣ ଜଳଯୋଗାଣ ଓ ପରିମଳ (RWSS) ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଗୁରୁବାର ବଡ଼ ଧରଣର ଚଢ଼ାଉ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ।
ବେରହମପୁର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ଏକାଧିକ ଟିମ୍ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଥିବା ମଳୟ ନାୟକଙ୍କ ସମ୍ପର୍କିତ ୭ଟି ସ୍ଥାନରେ ଏକକାଳୀନ ତଲାସି ଚଳାଇଛନ୍ତି। ଏହି ଅଭିଯାନରେ ୫ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।
ଚଢ଼ାଉ ହେଉଥିବା ସ୍ଥାନଗୁଡ଼ିକ ମଧ୍ୟରେ ବ୍ରହ୍ମପୁରର ସାଉଣ୍ଡର୍ଯ୍ୟ ନଗରସ୍ଥିତ ତିନି ମହଲା ବିଶିଷ୍ଟ ବାସଭବନ, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦର ଥୋଲାଣ୍ଡା ବଡ଼ଦାଣ୍ଡ ସାହିରେ ଥିବା ପୈତୃକ ଘର, ବୁଗୁଡ଼ାର ବାଲିପିଣ୍ଡି ସାହି ଓ ପଙ୍କଲ ସାହିରେ ଥିବା ସମ୍ପର୍କୀୟଙ୍କ ଘର ସାମିଲ ରହିଛି। ଏହାଛଡ଼ା ଗୋଳନ୍ଥରା ଅଞ୍ଚଳର କମଳାପୁରରେ ଥିବା ଶାଶୁଘର, ରାୟଗଡ଼ାର ରୋଇଟ୍ କଲୋନୀରେ ଥିବା ଭଡ଼ାଘର ଏବଂ କୋଲନାରା ବ୍ଲକ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ ପ୍ରକୋଷ୍ଠରେ ମଧ୍ୟ ତଲାସି ଚାଲିଛି।
ଭିଜିଲାନ୍ସ ଅଧିକାରୀମାନେ ବିଭିନ୍ନ ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ, ବ୍ୟାଙ୍କ ଖାତା, ମୂଲ୍ୟବାନ ସାମଗ୍ରୀ ଓ ଅନ୍ୟାନ୍ୟ ଆର୍ଥିକ ରେକର୍ଡ ଯାଞ୍ଚ କରୁଛନ୍ତି। ତାଙ୍କ ଜଣାଶୁଣା ଆୟ ଉତ୍ସ ତୁଳନାରେ କେତେ ପରିମାଣର ସମ୍ପତ୍ତି ସଞ୍ଚୟ ହୋଇଛି, ତାହାର ଖୋଳତାଡ଼ କରାଯାଉଛି।
ଚଢ଼ାଉ ଶେଷ ପରେ ମଳୟ ନାୟକଙ୍କ ନିକଟରୁ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ଏବଂ ସେଗୁଡ଼ିକ ଆୟବହିର୍ଭୂତ କି ନୁହେଁ, ସେନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିବ। ଏହି ଚଢ଼ାଉକୁ ନେଇ ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ବେଶ ଚର୍ଚ୍ଚା ଜୋର ଧରିଛି।