ଝାରସୁଗୁଡ଼ାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ସୋସିଆଲ ମିଡିଆରେ ହୋଇଥିବା ବନ୍ଧୁତ୍ୱ ଜଣେ ୧୩ ବର୍ଷୀୟା ନାବାଳିକା ପାଇଁ କାଳ ସାଜିଛି। ହସ୍ପିଟାଲରୁ ଡାକି ନେଇ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ନାବାଳିକା ଜଣକ ନିଜ ମାଉସୀଙ୍କ ସହ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ତାଙ୍କ ମଉସା ଚିକିତ୍ସାଧୀନ ଥିଲେ। ଏହି ସମୟରେ ଇନଷ୍ଟାଗ୍ରାମ ମାଧ୍ୟମରେ ପରିଚିତ ହୋଇଥିବା ରାଜା ବେସନ ନାମକ ଯୁବକ ନାବାଳିକା ହସ୍ପିଟାଲରେ ଥିବା ଜାଣି ସେଠାକୁ ପହଞ୍ଚିଥିଲା।
ଅଭିଯୋଗ ଅନୁଯାୟୀ, ରାଜା ତାଙ୍କ ସହଯୋଗୀ ଆକାଶ ପ୍ରଧାନ ଓ ତୃପ୍ତି ନାଏକଙ୍କୁ ୱାର୍ଡ ଭିତରକୁ ପଠାଇ ନାବାଳିକାଙ୍କୁ ବାହାରକୁ ଡାକିଥିଲା। ନାବାଳିକା ବାହାରକୁ ଆସିବା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଏୟାରପୋର୍ଟ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଆକାଶ ଓ ତୃପ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ପରେ ମୁଖ୍ୟ ଅଭିଯୁକ୍ତ ରାଜାକୁ ମଧ୍ୟ ଗିରଫ କରାଯାଇଛି। ତିନି ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ନାବାଳିକାଙ୍କର ଡାକ୍ତରୀ ପରୀକ୍ଷା ସମ୍ପନ୍ନ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।