ବ୍ରହ୍ମପୁର ଗିରିରୋଡରେ ବିଚ୍ ରାସ୍ତାରେ ଯୁବକ ଓ ଯୁବତୀଙ୍କୁ ସର୍ବସମ୍ମୁଖରେ ତଳେ ପକାଇ ନିର୍ମମ ଭାବେ ମାଡ଼ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶକୁ ପୋଲିସ ଏନକାଉଣ୍ଟର କରିଛି। ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ନିକଟସ୍ଥ ଟାମଣା ଘାଟିରେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଏନକାଉଣ୍ଟର ହୋଇଛି।
ଏନକାଉଣ୍ଟରରେ ମୁକେଶ ଦେହରେ ମୋଟ୍ ଚାରି ରାଉଣ୍ଡ ଗୁଳି ବାଜିଛି। ତାଙ୍କ ଡାହାଣ ଗୋଡ଼ରେ ଦୁଇଟି, ବାମ ଗୋଡ଼ରେ ଗୋଟିଏ ଏବଂ ବାମ ହାତରେ ଗୋଟିଏ ଗୁଳି ଲାଗିଥିବା ଜଣାପଡ଼ିଛି। ଆହତ ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୁକେଶ ନାମରେ ୯ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି। ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ଡକାୟତି ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ମାମଲା ବୈଦ୍ୟନାଥପୁର, ଗୋପାଳପୁର ଓ ଗୋଷାଣୀନୂଆଗାଁ ଥାନାରେ ରହିଛି। ଗିରିରୋଡ ଆକ୍ରମଣ ଘଟଣା ପରେ ସେ ଫେରାର ଥିଲା।
ଭିଡିଓ ଭାଇରାଲ୍ ପରେ ଏନକାଉଣ୍ଟର
ଗତ ୧୮ ତାରିଖ ରାତିରେ ଉମେଶଙ୍କୁ ତାଙ୍କ ବାନ୍ଧବୀଙ୍କ ସାମ୍ନାରେ ରାସ୍ତା ଉପରେ ତଳେ ପକାଇ ବାଡ଼ିରେ ମାଡ଼ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେପଟେ ବାନ୍ଧବୀ ଜଣଙ୍କ ଉମେଶଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ସମୟରେ ସେ ମଧ୍ୟ ଆହତ ହୋଇଛନ୍ତି । ଉଭୟେ MKCG ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ଏହି ଦୃଶ୍ୟ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ପୋଲିସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ବଢ଼ିଥିଲା। ଏହି ମାମଲାରେ ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତ ରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କରାଯାଇଛି। ସେପଟେ ଏହି ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁ ଓରଫ ମୁକ୍ତେଶ ଫେରାର ଥିଲା । ପୋଲିସ ମୁକ୍ତେଶକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।
ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର
ଗତକାଲି (ବୁଧବାର) ବିଳମ୍ବିତରେ ପୋଲିସ ସହ ମୁହାଁମୁହିଁ ହେବା ପରେ ଅଭିଯୁକ୍ତ ମୁକ୍ତେଶ ଖସିଯିବାକୁ ଚେଷ୍ଚା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ଭାଇରାଲ ଭିଡିଓରୁ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚିତ ମାମଲା ଏବେ ପୋଲିସ ଏନକାଉଣ୍ଟର ପରେ ନୂଆ ମୋଡ଼ ନେଇଛି। ବ୍ରହ୍ମପୁରରେ ଅପରାଧ ଦମନ ନେଇ ପୋଲିସର ଏହି ପଦକ୍ଷେପକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ତେବେ ଘଟଣା ସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
୭ ଦିନରେ ୨ ଏନକାଉଣ୍ଟର
ଗତ ସାତ ଦିନ ମଧ୍ୟରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଦୁଇ ଦୁଇଟି ଏନକାଉଣ୍ଟର କରାଯାଇଛି। ଗତ ଶନିବାର ଦିନ ଭୋର ସକାଳ ସମୟରେ ବ୍ରହ୍ମପୁର ସହରର ଖୋଡାସିଙ୍ଗି ଓଭରବ୍ରିଜ୍ ଉପରୁ ଜଣେ ଯୁବକଙ୍କୁ ଯୋର ଜବରଦସ୍ତ ତଳକୁ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସହରର ଲାଞ୍ଜିପଲ୍ଲୀ ଢିପସାହି ଅଞ୍ଚଳର ଦୁର୍ଦ୍ଦନ୍ତ ଅପରାଧୀ ଦିପୁନ ନାୟକକୁ ଧରିବା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା।
ପୋଲିସ ଦିପୁନକୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ପୋଲିସ ଉପରକୁ ଆକ୍ରମଣ କରିଥିଲା। ଏହାର ଜବାବରେ ପୋଲିସ ନିଜର ସୁରକ୍ଷା ସହିତ ଅଭିଯୁକ୍ତକୁ ଧରିବା ପାଇଁ ଏନକାଉଣ୍ଟର କରିବାକୁ ପଡ଼ିଥିଲା। ପୋଲିସ ଗୁଳିରେ ଦିପୁନ ଆହତ ହୋଇଥିଲା। ଏନକାଉଣ୍ଟର ଆହାତ ହୋଇଥିବା ଦିପୁନକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା।