ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନର କଡ଼ା ଆପତ୍ତି ପରେ ପଞ୍ଜାବର ଫିରୋଜପୁରରେ ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି। ମେ ୨୩ ତାରିଖରେ ସେଠାରେ ରଥଯାତ୍ରା ଆୟୋଜନ ହେବାକୁ ଥିବା ବେଳେ, ଏହାକୁ ନେଇ ପୁରୀ ଶ୍ରୀମନ୍ଦିର ପକ୍ଷରୁ ଆପତ୍ତି ଉଠାଯାଇଥିଲା।
ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପଞ୍ଜାବର ଫିରୋଜପୁର ଜିଲ୍ଲାପାଳ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ରଥଯାତ୍ରାକୁ ନିର୍ଦ୍ଧାରିତ ପରମ୍ପରା ଓ ତିଥି ଅନୁଯାୟୀ ଆୟୋଜନ କରିବାକୁ ଅନୁରୋଧ କରିଥିଲେ। ଅନିର୍ଦ୍ଧାରିତ ତାରିଖରେ ରଥଯାତ୍ରା କରାଯିବା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧୀ ବୋଲି ଶ୍ରୀମନ୍ଦିର ପକ୍ଷରୁ କୁହାଯାଇଥିଲା।
ଏହାପରେ ଫିରୋଜପୁର ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ଜିଲ୍ଲାପାଳ ଦୀପଶିଖା ଶର୍ମା କହିଛନ୍ତି ଯେ, ଫିରୋଜପୁର ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଡାକି ରଥଯାତ୍ରାର ସଠିକ ସମୟ ଓ ପୁରୀ ଶ୍ରୀଜଗନ୍ନାଥ ଧାମର ଧାର୍ମିକ ମହତ୍ତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା। ପରେ ମନ୍ଦିର ପକ୍ଷରୁ ମେ ୨୩ରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ରଖିବାକୁ ସମ୍ମତି ଦିଆଯାଇଛି। ଏହି ଘଟଣା ପରେ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ନୀତିକାନ୍ତିର ସୁରକ୍ଷା ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପକୁ ଭକ୍ତମାନେ ସ୍ୱାଗତ କରିଛନ୍ତି।