ଢେଙ୍କାନାଳ: କାମାକ୍ଷାନଗର ବ୍ଲକ ତଥା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ପାଟଣା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ପାଖ ଜଙ୍ଗଲରେ ଫିଙ୍ଗି ଦେଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ମୃତ ଯୁବକ ହେଲେ ସୋଗର ପାଟଣା ଗ୍ରାମର ପ୍ରଭାକର ମହାରଣାଙ୍କ ପୁଅ ନରହରି ମହାରଣା(୩୭)। ଅଭିଯୋଗ ଅନୁସାରେ, ମଙ୍ଗଳବାର ରାତିରେ ନରହରି ଘରୁ ବାହାରିଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ପରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରି ମୃତଦେହକୁ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଫିଙ୍ଗି ଦେଇଥିବା କୁହାଯାଉଛି।
ଆଜି ସକାଳେ ଗ୍ରାମବାସୀମାନେ ଜଙ୍ଗଲ ନିକଟରେ ମୃତଦେହ ପଡିଥିବା ଦେଖି ଆତଙ୍କିତ ହୋଇପଡିଥିଲେ। ପରେ ସେମାନେ ତୁରନ୍ତ ତୁମୁସିଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
ଏହି ହତ୍ୟା ପଛରେ ପୁରୁଣା ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ କିଏ ଏବଂ କାହିଁକି ନରହରିଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ରହିଛି।