ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ ନେଇ ପୁଣି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଧବାର ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି। ଦୁଇଜଣେ ମୃତକ ଆମ୍ବ ଗୋଟାଇବା ପାଇଁ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।
ପ୍ରଥମ ଘଟଣା ବନ୍ତଳା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମରେ ଘଟିଛି। ମୃତକ ହେଲେ ୬୦ ବର୍ଷୀୟ ଧୂଳିଆ ଦେହୁରୀ। ସୂଚନା ଅନୁସାରେ, ବୁଧବାର ସକାଳେ ସେ ବାଘୁଆପାଟ ଗ୍ରାମ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହଠାତ୍ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ସେହିପରି ଦ୍ୱିତୀୟ ଘଟଣା ଅନୁଗୋଳ ବନାଞ୍ଚଳ ପୁରୁଣାଗଡ ସେକସନ ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ଘଟିଛି। ମୃତକ ହେଲେ ଭୋଳୁଶ୍ୱର ପ୍ରଧାନ। ସେ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଛି।
ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଉତ୍ୟକ୍ତ ଲୋକମାନେ କରତପଟା-ପୁରୁଣାଗଡ ରାସ୍ତା ଅବରୋଧ କରି ବନ ବିଭାଗ ବିରୋଧରେ ଆକ୍ରୋଶ ପ୍ରକାଶ କରିଥିଲେ। ପରେ ବନ ବିଭାଗ ଓ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଲଗାତାର ହାତୀ ଆକ୍ରମଣ ଘଟଣା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ବନ ବିଭାଗର ପଦକ୍ଷେପକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।