ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନକୁ ଦିନ ବଢୁଥିବା ତାତି ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବୁଧବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାର ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି।
ସେହିପରି ସମ୍ବଲପୁରରେ ମଧ୍ୟ ପାରଦ ୪୫ ଡିଗ୍ରୀ ଛୁଇଁଥିବାରୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରାର ପ୍ରକୋପ ଜାରି ରହିଥିବା ସ୍ପଷ୍ଟ ହୋଇଛି। ସକାଳୁ ହିଁ ତିବ୍ର ଖରା ଓ ଗରମ ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଦିନ ବଢିବା ସହ ରାସ୍ତାଘାଟ ପ୍ରାୟ ଜନଶୂନ୍ୟ ହୋଇଯାଉଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଝାରସୁଗୁଡ଼ା ଗତ କିଛି ଦିନ ଧରି ଲଗାତାର ଭାବେ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି। ଏହି ଅସହ୍ୟ ତାତି ମଧ୍ୟରେ ସାଧାରଣ ଲୋକଙ୍କ ମଧ୍ୟରେ ଅସୁସ୍ଥତା ବଢୁଥିବା ବେଳେ ବୃଦ୍ଧ, ଶିଶୁ ଓ ରୋଗୀମାନଙ୍କ ପାଇଁ ପରିସ୍ଥିତି ଅଧିକ କଷ୍ଟଦାୟକ ହୋଇପଡିଛି। ଏପରି ସ୍ଥିତିରେ ଆବଶ୍ୟକ କାମ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।