କଳାହାଣ୍ଡିରେ ବାଇକ୍ ଚୋରଙ୍କୁ ଝଟକା। ଅନ୍ତଃଜିଲ୍ଲା ବାଇକ୍ ଚୋରି ଗ୍ୟାଙ୍ଗକୁ ଧରିବାରେ ବଡ଼ ସଫଳତା ପାଇଛି ଜିଲ୍ଲା ପୋଲିସ। ବୁଧବାର ପୋଲିସ ୬ ଜଣଙ୍କୁ ଗିରଫ କରିବା ସହ ୪୪ଟି ଚୋରା ବାଇକ୍ ଜବତ କରିଛି। ଏହି ଘଟଣା ପରେ ଅଞ୍ଚଳରେ ଚଞ୍ଚଳତା ଖେଳିଯାଇଛି।
ଗତ କିଛି ଦିନ ଧରି ଧର୍ମଗଡ଼ ଉପଖଣ୍ଡ ସହ ଜୁନାଗଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାରମ୍ବାର ବାଇକ୍ ଚୋରି ନେଇ ଅଭିଯୋଗ ଆସୁଥିଲା। ଲୋକମାନେ ଭୟଭୀତ ହୋଇପଡ଼ିଥିବାବେଳେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଗଠନ କରିଥିଲା ଏକ ସ୍ପେଶାଲ୍ ଟିମ୍। ଦୀର୍ଘ ଦିନର ତଦନ୍ତ ଓ ଚଢ଼ାଉ ପରେ ଶେଷରେ ପୋଲିସ ଏହି ଗ୍ୟାଙ୍ଗର ପର୍ଦାଫାସ କରିବାରେ ସଫଳ ହୋଇଛି।
କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା କହିଛନ୍ତି, ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି ନେଇ ଅଭିଯୋଗ ଆସିଥିଲା। ତଦନ୍ତ ସମୟରେ ମୋଟ ୪୪ଟି ବାଇକ୍ ଚୋରି ହୋଇଥିବା ଜଣାପଡ଼ିଥିଲା। ଏଥିରେ ୩ ଜଣ ସିଧାସଳଖ ଚୋରିରେ ଜଡ଼ିତ ଥିବାବେଳେ ଆଉ ୩ ଜଣ ଚୋରା ବାଇକ୍ କିଣିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗ୍ୟାଙ୍ଗ କେବଳ କଳାହାଣ୍ଡିରେ ନୁହେଁ, ପଡ଼ୋଶୀ ଜିଲ୍ଲାରେ ମଧ୍ୟ ସକ୍ରିୟ ଥିଲା। ଚୋରା ବାଇକ୍ଗୁଡ଼ିକୁ ନକଲି କାଗଜପତ୍ର ମାଧ୍ୟମରେ କିମ୍ବା କମ୍ ଦାମରେ ଗ୍ରାମାଞ୍ଚଳରେ ବିକ୍ରି କରାଯାଉଥିଲା।
ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିରେ ଆଉ କିଏ କିଏ ଜଡ଼ିତ ଅଛନ୍ତି, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।