କଳାହାଣ୍ଡି: ଦୁର୍ନୀତି ବିରୋଧରେ ବଡ଼ ଆକ୍ସନ୍। ଭିଜିଲାନ୍ସ ଜାଲରେ ଭବାନୀପାଟଣା ଆର୍ଏଣ୍ଡ୍ବି ବିଭାଗର ଜଣେ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଭୁବନେଶ୍ୱର ଶବର। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବୁଧବାର ପୂର୍ତ୍ତ ବିଭାଗର ଏହି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ଚଢ଼ାଉ ବେଳେ ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସର ଆଖି ଝଲସିଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଇଞ୍ଜିନିୟରଙ୍କ ନାଁରେ ମୋଟ ୯୭ଟି ପ୍ଲଟ୍ ରହିଛି। ପ୍ରାୟ ୮୩ ଏକର ଜମି ଉପରେ ଏହି ସମ୍ପତ୍ତି ରହିଥିବା ଜଣାପଡ଼ିଛି। ଏହାଛଡ଼ା ତାଙ୍କର ୫ଟି ଘର ରହିଥିବାବେଳେ ସେଥିରୁ ୪ଟି ହେଉଛି ବହୁତଳ କୋଠା। ଏତିକିରେ ସରିନି ବାବୁଙ୍କ ସମ୍ପତି, ୧୭ ଏକର ଜମି ଉପରେ ଦୁଇଟି ବଡ଼ ଫାର୍ମହାଉସ୍ ମଧ୍ୟ ଠାବ କରିଛି ଭିଜିଲାନ୍ସ।
ଭିଜିଲାନ୍ସ ଟିମ୍ ଆଉ ୮ଟି କମର୍ସିଆଲ୍ କ୍ୟାବିନ୍କୁ ମଧ୍ୟ ଜବତ କରିଛି। ଅଧିକାରୀଙ୍କ ଘୋଷିତ ଆୟ ସହ ଏତେ ବଡ଼ ସମ୍ପତ୍ତିର କୌଣସି ସମ୍ପର୍କ ନଥିବାରୁ ଦୁର୍ନୀତି ଓ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ଏହି ଘଟଣା ପରେ ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ‘ଜିରୋ ଟୋଲରେନ୍ସ ଅଗେନଷ୍ଟ କରପ୍ସନ୍’ ନୀତିକୁ ଆଉଥରେ ସ୍ପଷ୍ଟ କରିଛି ଏହି ଆକ୍ସନ୍। ଭିଜିଲାନ୍ସ କହିଛି, ଦୁର୍ନୀତି କରି କେହି ବଞ୍ଚି ପାରିବେ ନାହିଁ। ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଦ୍ୱାରା ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଲୋକଙ୍କ ବିଶ୍ୱାସ ଆଉ ମଜବୁତ ହେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: 'ଟଙ୍କା ଦିଅ, ନହେଲେ କାମ ନାହିଁ';୧୮ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ ଅଧିକାରୀ