ଭୁବନେଶ୍ୱର:ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷାକୁ ଆଉ ଗୋଟିଏ ଡିଜିଟାଲ୍ ଢାଲ୍। ଜରୁରୀ ସମୟରେ ପୋଲିସ ସହଯୋଗ ପାଇଁ କମିଶନରେଟ୍ ପୋଲିସ ଲଞ୍ଚ କରିଛି ନୂଆ “ଉଇ କେୟାର ସାଥି” ଆପ୍। ଏହି ଆପ୍ ମାଧ୍ୟମରେ ବିପଦରେ ପଡ଼ିଥିବା ମହିଳା କିମ୍ବା ସାଧାରଣ ଲୋକ ମାତ୍ର କିଛି ସେକେଣ୍ଡରେ ପୋଲିସକୁ ଆଲର୍ଟ ପଠାଇପାରିବେ। ଘଟଣାସ୍ଥଳର ଫଟୋ, ଭିଡିଓ କିମ୍ବା ଲାଇଭ୍ ଲୋକେସନ୍ ସିଧାସଳଖ ERSS କଣ୍ଟ୍ରୋଲ ରୁମକୁ ପହଞ୍ଚିବାର ବ୍ୟବସ୍ଥା ଥିବାରୁ ପୋଲିସ ତୁରନ୍ତ ଆକ୍ସନ୍ ନେବା ସହଜ ହେବ।
ଏହି ଆପ୍ର ଅଫିସିଆଲ୍ ଲଞ୍ଚ କରି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, “ପୋଲିସ ସବୁବେଳେ ଫ୍ରଣ୍ଟ ଲାଇନ୍ରେ ରହି ଲୋକଙ୍କ ସୁରକ୍ଷା ପାଇଁ କାମ କରିବ।” ସେ କହିଛନ୍ତି, ପୂର୍ବରୁ ପୋଲିସ ରେସ୍ପନ୍ସ ଟାଇମ୍ ୧୨ ମିନିଟ୍ ଥିବାବେଳେ ବର୍ତ୍ତମାନ ଏହାକୁ ୭ ମିନିଟ୍ରେ ଆଣିବାରେ ସଫଳତା ମିଳିଛି।
ଏହି ଆପ୍ର ମୁଖ୍ୟ ବୈଶିଷ୍ଟ୍ୟ:
- ତତକ୍ଷଣାତ୍ SOS ଏବଂ ଫଟୋଗ୍ରାଫି: ଆପ୍ର SOS ବଟନ୍କୁ ଥରେ ଟ୍ୟାପ୍ କଲେ, ଫୋନ୍ କ୍ୟାମେରା ସ୍ୱୟଂଚାଳିତ ଭାବେ ୩ଟି ଫଟୋ ଉଠାଇଥାଏ।
- ଲାଇଭ୍ ଲୋକସେସନ୍ : ଉପଭୋକ୍ତାଙ୍କର GPS ଲୋକେସନ୍ ଏବଂ ଫଟୋଗୁଡ଼ିକ ସିଧାସଳଖ ପୁଲିସ କଣ୍ଟ୍ରୋଲ ରୁମ୍କୁ ଚାଲିଯାଏ।
- ଆପାତକାଳୀନ କଲ୍: ଫଟୋ ଉଠିବା ପରେ, ଆପ୍ ସ୍ୱୟଂଚାଳିତ ଭାବେ ଫୋନ୍ର ଡାଏଲପ୍ୟାଡ୍କୁ ୧୧୨ (112) ନମ୍ବରକୁ ନେଇଯାଏ, ଯାହାଫଳରେ ଆପଣ ପୁଲିସ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ସେବା ସହ କଥା ହୋଇପାରିବେ।
- ଭିଡିଓ ପ୍ରମାଣ: କଲ୍ ସରିବା ପରେ, ଏହା ଏକ କ୍ଷୁଦ୍ର ଭିଡିଓ ରେକର୍ଡ କରି ପଠାଇବାର ବିକଳ୍ପ ଦେଇଥାଏ।
- ଏହି ସୁବିଧାକୁ ପାଇବା ପାଇଁ, ଆପଣ ଗୁଗଲ ପ୍ଟେ ଷ୍ଟୋର ମାଧ୍ୟମରେ We Care - Saathi ଆପ୍କୁ ନିଜ ଆଣ୍ଡ୍ରଏଡ୍ ଫୋନ୍ରେ ଡାଉନଲୋଡ୍ କରିପାରିବେ।
ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ତିଆରି ହୋଇଥିବା ଏହି ସ୍ମାର୍ଟ ଆପ୍ ଆଗାମୀ ଦିନରେ ଟ୍ୱିନ୍ ସିଟିର ସୁରକ୍ଷା ବ୍ୟବସ୍ଥାକୁ ଆଉ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।