ମା’ର ସ୍ନେହ ଆଉ ସୁରକ୍ଷା ବଳୟରୁ ଦୂରେଇ ଯିବା ପରେ, ମାତ୍ର ୩ ମାସର ଏକ କୋମଳମତି ହାତୀଛୁଆ ପାଇଁ କେନ୍ଦୁଝର ପଦ୍ମପୁର ସ୍ଥିତ ମେଗା ନର୍ସରୀ ପାଲଟିଛି ଏକ ନୂଆ ଆଶ୍ରୟସ୍ଥଳ। ଏହି କୁନି ଜୀବଟିର ନାଁ ରଖାଯାଇଛି ‘ସରସ୍ୱତୀ’। ମା’ ସାଥୀ ଛାଡ଼ି ଚାଲିଯିବା ପରେ ଭାଙ୍ଗିପଡ଼ିଥିବା ସରସ୍ୱତୀକୁ ଏବେ ବନ ବିଭାଗର କର୍ମଚାରୀମାନଙ୍କ ରୂପରେ ଏକ ନୂଆ ଏବଂ ସ୍ନେହପୂର୍ଣ୍ଣ ପରିବାର ମିଳିଛି।
ହାତୀଛୁଆ ଆଉ ମଣିଷ ମଧ୍ୟରେ ଥିବା ଏହି ଆତ୍ମୀୟତାର ଦୃଶ୍ୟ ସତରେ ଅତ୍ୟନ୍ତ ଆବେଗପୂର୍ଣ୍ଣ। ବନ କର୍ମଚାରୀମାନେ ତାକୁ ନିଜ ସନ୍ତାନ ଭଳି ଭଲପାଉଛନ୍ତି। ଜଣେ ମା’ ଭଳି ଦିନ-ରାତି ଏକ କରି ତାର ଖାଇବା-ପିଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଯତ୍ନ ନେଉଛନ୍ତି। ଗତ ଚାରି ମାସ ଧରି ଏହି ନୂଆ ପରିବାରର ଗହଣରେ ରହିବା ପରେ, ସରସ୍ୱତୀର ସମ୍ପର୍କ ଏହି ମଣିଷମାନଙ୍କ ସହ ଏତେ ନିବିଡ଼ ହୋଇଯାଇଛି ଯେ, ସେ ବନ କର୍ମଚାରୀଙ୍କୁ ପଲକଟିଏ ନଦେଖିଲେ ଆଦୌ ରହିପାରୁନାହିଁ।
ସବୁଠାରୁ ଆଶ୍ୱାସନାର କଥା ହେଉଛି, ବନ ବିଭାଗର ସୂଚନା ଅନୁଯାୟୀ, ଉପଯୁକ୍ତ ଯତ୍ନ ଓ ଭଲପାଇବା ପାଇ କୁନି ହାତୀଛୁଆଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ରହିଛି।