ଭୁବନେଶ୍ୱର: ରାଜ୍ୟ ବିକାଶ, ପ୍ରଶାସନିକ ସଂସ୍କାର ଏବଂ ରୋଜଗାର ସୁଯୋଗକୁ ନଜରରେ ରଖି ମୋହନ ସରକାରଙ୍କ କ୍ୟାବିନେଟ୍ ନେଇଛି ଏକାଧିକ ବଡ଼ ନିଷ୍ପତ୍ତି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ସବୁଠୁ ବଡ଼ ନିଷ୍ପତ୍ତି ହେଉଛି କୋର୍ଟ କର୍ମଚାରୀଙ୍କ ପାଇଁ। ଏଣିକି ଜିଲ୍ଲା ଓ ସିଭିଲ୍ କୋର୍ଟର ଗ୍ରୁପ୍-ଡି କର୍ମଚାରୀମାନେ ଜୁନିୟର କ୍ଲର୍କ ପଦବୀକୁ ପଦୋନ୍ନତି ପାଇପାରିବେ। ମହିଳା କର୍ମଚାରୀଙ୍କ ପାଇଁ ମଧ୍ୟ ଏହା ନୂଆ ସୁଯୋଗ ଖୋଲିଦେବ। ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋର୍ଟ ମ୍ୟାନେଜର ପଦବୀକୁ ନିୟମିତ କରାଯିବ।
ସେହିପରି ମତ୍ସ୍ୟ କ୍ଷେତ୍ର ପାଇଁ ଆସୁଛି ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ-୨୦୨୬’। ଏହି ଆଇନ ମାଧ୍ୟମରେ ବେଆଇନ ମାଛଧରା ଉପରେ ରୋକ୍ ଲାଗିବା ସହ ଉପକୂଳବର୍ତ୍ତୀ ସମ୍ପ୍ରଦାୟ ଏବଂ ତଟୀୟ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ୨୦୩୬ ସୁଦ୍ଧା ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ ମଧ୍ୟ ରଖାଯାଇଛି।
ଶକ୍ତି କ୍ଷେତ୍ରରେ ୮୫୪ କୋଟି ଟଙ୍କାର ପାୱାର ପ୍ରୋଜେକ୍ଟକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। OPTCL ପକ୍ଷରୁ ୪୦୦ କେଭି ଗ୍ରୀଡ୍ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ ନିର୍ମାଣ ହେବ। ଏହା ମେଡିକାଲ୍ କଲେଜ ଓ ହସ୍ପିଟାଲଗୁଡ଼ିକରେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବ। ବ୍ୟବସାୟ ସହଜୀକରଣ ଦିଗରେ ମଧ୍ୟ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ପେଟ୍ରୋଲ ପମ୍ପ ଖୋଲିବା ପାଇଁ ରିଟେଲ ସେଲ୍ ଲାଇସେନ୍ସ ଆବଶ୍ୟକ ହେବନି। କେବଳ କଲେକ୍ଟରଙ୍କ ଏନଓସି ଯଥେଷ୍ଟ ହେବ।
ଏହାଛଡ଼ା ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ନୂଆ ସେବା ନିୟମାବଳୀ, ଏସଟି-ଏସସି ବିଭାଗରେ ୧୦୩୨ଟି ମନ୍ତ୍ରୀସ୍ତରୀୟ ପଦବୀର ପୁନର୍ଗଠନ ଓ ପଦୋନ୍ନତି ସୁଯୋଗ, ତଥା ଅପ୍ରାସଙ୍ଗିକ ୩୫୮ଟି ଆଇନ ଉଚ୍ଛେଦ ଭଳି ନିଷ୍ପତ୍ତିକୁ ମଧ୍ୟ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଛି। ମୋଟକଥା, ରାଜ୍ୟର ପ୍ରଶାସନ, ଶକ୍ତି, ମତ୍ସ୍ୟ, ଐତିହ୍ୟ ସଂରକ୍ଷଣ ଓ ରୋଜଗାର କ୍ଷେତ୍ରରେ ଏହି କ୍ୟାବିନେଟ୍ ବୈଠକକୁ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି।