ଭଦ୍ରକ: ପାଇଖାନା ଭିତରୁ ସନ୍ଦେହ ଜନକ ଅବସ୍ଥାରେ କଲେଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର । ହାତ ଓ ମୁହଁ ବନ୍ଧା ଯାଇଥିବା ବେଳେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିଛି । ଭଦ୍ରକ ଜିଲ୍ଲା ଚରମ୍ପା ହାଇସ୍କୁଲ ରୋଡ଼ ଅଞ୍ଚଳରେ ଘଟିଛି ଘଟଣା । ମୃତକ ସମ୍ବିତ କୁମାର ବିଶ୍ୱାଳ । ସେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ଆଜି ସକାଳେ ସମ୍ବିତ ସାଙ୍ଗମାନଙ୍କ ସହିତ ପ୍ରାତଃ ଭ୍ରମଣରେ ଯାଇଥିଲେ । କିନ୍ତୁ କିଛି ସମୟ ପରେ ଘର ବାହାରେ ଥିବା ପାଇଖାନାରେ ପରିବାର ଲୋକେ ତାଙ୍କର ମୃତ ଦେହ ଦେଖିବାକୁ ପାଇଥିଲେ । ସମ୍ବିତଙ୍କ ବେକ ଓ ମୁହଁରେ ଗାମୁଛା ବନ୍ଧା ହୋଇଛି । ଏହା ସହିତ ତାଙ୍କର ହାତ ଓ ଗୋଡ଼ ମଧ୍ୟ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଏ ନେଇ ଭଦ୍ରକ ଟାଉନ ଥାନାକୁ ପରିବାର ଖବର ଦେଇଥିଲେ ।
ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସମ୍ବିତଙ୍କ କେହି ହତ୍ୟା କରି ଟାଙ୍ଗି ଦେଇଥିବା କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ପହଁଚି ଛାନଭିନ୍ ଆରମ୍ଭ କରିଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।