ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାଜ୍ୟ ରାଜପଥ-୪୦ର କୋଟପଡ଼ା ନିକଟରେ ଏକ ସାର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଜୟପୁରରୁ ରାଇଘର ଲ୍ୟାମ୍ପସକୁ ପ୍ରାୟ ୬୦୦ ବସ୍ତା ସାର ନେଇ ଟ୍ରକ୍ଟି ଯାଉଥିଲା। ଗୁରୁବାର ସକାଳେ କୋଟପଡ଼ା ନିକଟରେ ଟ୍ରକ୍ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୁଇଟି ବଡ଼ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ। ମୃତ ଡ୍ରାଇଭର ଜଣଙ୍କ ଜୟପୁର କେନ୍ଦୁଗୁଡ଼ା ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ରାଇଘର-ଉମରକୋଟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଟ୍ରକ୍ର ଲୁହା ଅଂଶ କାଟି ଡ୍ରାଇଭରଙ୍କ ମୃତଦେହକୁ ବାହାର କରାଯାଇଥିଲା।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡ୍ରାଇଭରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ତହସିଲଦାର ମନମୋହନ ସାହୁ, ବ୍ଲକ କୃଷି ଅଧିକାରୀ ରଶ୍ମି ରଞ୍ଜନ ସାହୁ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଟ୍ରକ୍ରେ ଥିବା ପ୍ରାୟ ୧୧.୯୧ ଲକ୍ଷ ଟଙ୍କା ମୂଲ୍ୟର ସାରକୁ ସୁରକ୍ଷିତ ଭାବେ ଗୋଦାମକୁ ସ୍ଥାନାନ୍ତର କରାଯାଇଛି। ରାଇଘର ପୋଲିସ ମୃତଦେହ ଜବତ କରି ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।