ଭୁବନେଶ୍ୱର: ସରକାରୀ ବିଶ୍ୱ ବିଦ୍ୟାଳୟରେ ପୂର୍ବ ଅନୁମୋଦନ ବିନା ମଞ୍ଜୁରୀପ୍ରାପ୍ତ ଏବଂ ଅଣ-ଅନୁମୋଦିତ ନିଯୁକ୍ତିକୁ ନେଇ ଉଚ୍ଚ ଶିକ୍ଷା ବିଭାଗ କ୍ଷୁବ୍ଧ ହୋଇଛି । ଏହା ଆଇନଗତ ଜଟିଳତା ସୃଷ୍ଟି କରିବା ସହିତ ସରକାରଙ୍କ ଉପରେ ଆର୍ଥିକ ବୋଝ ସୃଷ୍ଟି କରିଛି । ତେଣୁ ବେଆଇନ ନିଯୁକ୍ତି ବନ୍ଦ କରିବାକୁ ଉଚ୍ଚ ଶିକ୍ଷା ବିଭାଗ କଡ଼ା ତାଗିଦ କରିଛି । ବନ୍ଦ ହେବ ବ୍ୟାକ୍ ଡୋର୍ ଏଣ୍ଟ୍ରି । ଆଗାମୀ ଦିନରେ ଏଭଳି ବ୍ୟତିକ୍ରମ ଦେଖାଗଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି
ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯ର ଧାରା ୨୨କୁ ଅନୁଯାୟୀ କୌଣସି ନିଯୁକ୍ତି ପାଇଁ ଅଧିକୃତ କର୍ତ୍ତୃପକ୍ଷ ଅର୍ଥାତ୍ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ । ବିନା ପୂର୍ବ ଅନୁମୋଦନରେ ନିଯୁକ୍ତି ସମ୍ପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ଆଇନ ବିରୁଦ୍ଧ । ଏହାର ଆଇନଗତ ବୈଧତା ନାହିଁ। ଏପରି ଅନିୟମିତ ନିଯୁକ୍ତି ପାଇଁ ଦାୟିତ୍ୱ ସ୍ଥିର କରାଯିବ, ଏବଂ ସମ୍ପୃକ୍ତ ଅଧିକାରୀ/କର୍ତ୍ତୃପକ୍ଷ ଯେଉଁମାନେ ଅନୁମୋଦନ କରିଛନ୍ତି କିମ୍ବା କାର୍ଯ୍ୟକାରୀ କରିଛନ୍ତି ସେମାନଙ୍କୁ ଦାୟୀ କରାଯିବ । ଉକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ।
୨୦୧୧ ମସିହାରୁ, ରାଜ୍ୟ ସରକାର ନିୟମିତ ଅଣ-ଶିକ୍ଷକ ପଦବୀ ପାଇଁ ଅନେକ ଖୋଲା ନିଯୁକ୍ତି ଅଭିଯାନ ଚଳାଇଛନ୍ତି । ତଥାପି କିଛି ପଦାଧିକାରୀ, ଏପରି ପ୍ରତିଯୋଗିତାମୂଳକ ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତି ପାଇବା ପରିବର୍ତ୍ତେ ଗଳବାଟ ଦେଇ ନିଯୁକ୍ତିକୁ ନିୟମିତକରଣ କରିବାକୁ ଚେଷ୍ଟା କରୁଛନ୍ତି । ଏପରି କାର୍ଯ୍ୟପନ୍ଥା ସରକାରୀ ନିଯୁକ୍ତି ଢାଞ୍ଚାର ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିବା ସହିତ ସରକାରୀ ସେବା ନିଯୁକ୍ତିରେ ନିର୍ଣ୍ଣୟ କରାଯାଇଥିବା ନିରପେକ୍ଷତା, ସ୍ୱଚ୍ଛତା ଏବଂ ସମାନତାର ନୀତିକୁ ଉଲ୍ଲଂଘନ କରୁଛି । ଏପରି କ୍ଷେତ୍ରରେ ନିୟମିତକରଣ ପ୍ରଦାନ କରିବା ଦ୍ଵାରା ଆଇନଗତ ଏବଂ ପ୍ରତିଯୋଗିତାମୂଳକ ଚୟନ ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତି ପାଇଥିବା ମେଧାବୀ ପ୍ରାର୍ଥୀମାନଙ୍କ ପ୍ରତି ଅନ୍ୟାୟ ହେଉଛି ।
ତେଣୁ ଉଚ୍ଚ ଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନୁମୋଦିତ କିମ୍ବା ଅଣ-ଅନୁମୋଦିତ ପଦବୀରେ ନିୟୋଜିତ କର୍ମଚାରୀଙ୍କ ସେବାକୁ ନିୟମିତ କରିବା ପାଇଁ କୌଣସି ସୁପାରିଶକୁ ବିଚାର କରାଯିବ ନାହିଁ । ଏପରିସ୍ଥଳେ ଉତ୍ପନ୍ନ ହେଉଥିବା ଯେକୌଣସି ଆର୍ଥିକ ବୋଝ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ବହନ କରିବ । ତେଣୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।