ବଲାଙ୍ଗିର: ବିପଦ ଜନକ ଅବସ୍ଥାରେ ରିଲ୍ସ ବନେଇବା ହୋଇଛି କାଳ । ଗଭୀର ପାଣିକୁ ଲମ୍ଫ ମାରି ରିଲ୍ସ ବନାଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡୁଙ୍ଗରିପାଲି ଗାଁ ନିକଟସ୍ଥ ପଥର ଖାଦାନରେ ଏଭଳି ଅଘଟଣ ଘଟିଛି । ମୃତକ ହେଲେ ଚଟୁଅଙ୍କା ଗାଁର ଯଦୁମଣି ନିଆଲ ।
ସୂଚନା ଅନୁସାରେ ଯଦୁମଣି ଗତକାଲି ସଲଣ୍ଡି ଗାଁରେ କୀର୍ତ୍ତନ ଦେଖିବାକୁ ଯାଇଥିଲେ । ସକାଳେ ବାଇକରେ ପଥର ଖାଦାନକୁ ଗାଧୋଇବାକୁ ଆସିଥିଲେ । ସେଠାରେ ଗାଡ଼ି ରଖି ଗଭୀର ପାଣିକୁ ଡିଆଁ ମାରିଥିଲେ। କିନ୍ତୁ ଆଉ ସେ ଉପରକୁ ଉଠି ପାରିନଥିଲେ । ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ବଲାଙ୍ଗିରରୁ ଓଡ଼୍ରାଫ୍ ଟିମ୍ ଆସି ଯଦୁମଣିଙ୍କୁ ଖୋଜା ଖୋଜି କରିଥିଲେ । ପ୍ରାୟ ୭ ଘଣ୍ଟା ପରେ ଯଦୁମଣିଙ୍କ ଶବ ଉଦ୍ଧାର କରାଯାଇଥିଲା। ପ୍ରାୟ ୩୦ ରୁ ୩୫ ଫୁଟ ଗଭୀର ପାଣିରେ ଯଦୁମଣି ବୁଡ଼ି ଯାଇଥିଲେ । ତାଙ୍କ ଶବକୁ ଉଦ୍ଧାର କରି ବେଲପଡା ପୋଲିସକୁ ହସ୍ତାନ୍ତର କରାଯାଇଛି ।
ତେବେ ଯଦୁମଣି ରିଲ୍ସ କରୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ରିଲ୍ସ କରିବାକୁ ସେ ପାଣି ଭିତରକୁ ଡେଇଁଥିବା କୁହାଯାଉଛି । ଏ ନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।