ନୂଆଦିଲ୍ଲୀ: ଭାରତରେ ଏବେ ଗ୍ରୀଷ୍ମ ପ୍ରବାହ ସାଙ୍ଘାତିକ ରୂପ ଧାରଣ କରିଛି। ଉତ୍ତର, ମଧ୍ୟ ଏବଂ ପୂର୍ବ ଭାରତରେ ସୂର୍ଯ୍ୟଙ୍କ ପ୍ରକୋପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ଆସିଥିବା ଏକ ବିଶ୍ୱସ୍ତରୀୟ ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି। ‘AQI.in’ର ସଦ୍ୟତମ ତଥ୍ୟ ଅନୁଯାୟୀ, ବିଶ୍ୱର ୧୦୦ଟି ସବୁଠୁ ଗରମ ସହର ମଧ୍ୟରୁ କେବଳ ଭାରତରୁ ହିଁ ୯୭ଟି ସହର ରହିଛି। ସେଥିମଧ୍ୟରୁ ଓଡ଼ିଶାର ବଲାଙ୍ଗୀର ସହର ୪୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବିଶ୍ୱ ତଥା ଦେଶର ସବୁଠାରୁ ଗରମ ସହର ଭାବେ ରେକର୍ଡ କରିଛି।
ଦୁନିଆର ସବୁଠୁ ଉତ୍ତପ୍ତ ସହର ତାଲିକାରେ ଭାରତ ଓ ନେପାଳ
ବିଶ୍ୱର ସବୁଠାରୁ ଗରମ ୧୦୦ଟି ସହର ମଧ୍ୟରେ ଭାରତର ୯୭ଟି ସହର ଥିବାବେଳେ ବାକି ୩ଟି ସହର ପଡ଼ୋଶୀ ଦେଶ ନେପାଳର ରହିଛି। ନେପାଳର ଧାଙ୍ଗଡ଼ି (୨୩ତମ), ନେପାଳଗଞ୍ଜ (୩୪ତମ) ଏବଂ ଲୁମ୍ବିନୀ କଲଚରାଲ୍ (୭୬ତମ) ସ୍ଥାନରେ ରହିଛନ୍ତି, ଯେଉଁଠାରେ ତାପମାତ୍ରା ୪୫ରୁ ୪୬ ଡିଗ୍ରୀ ମଧ୍ୟରେ ରହିଛି।
ଅନ୍ୟପଟେ ଭାରତର ଶୀର୍ଷ ଗରମ ସହରଗୁଡ଼ିକ ମଧ୍ୟରେ ବଲାଙ୍ଗୀର ୪୮ ଡିଗ୍ରୀ ସେଲସିୟସ (ପ୍ରଥମ ସ୍ଥାନ), ସାସାରାମ (ବିହାର), ୪୮ ଡିଗ୍ରୀ ସେଲସିୟସ (ଦ୍ୱିତୀୟ ସ୍ଥାନ), ବାରାଣସୀ (ଉତ୍ତର ପ୍ରଦେଶ) ୪୭ ଡିଗ୍ରୀ ସେଲସିୟସ (ତୃତୀୟ ସ୍ଥାନ)ରେ ରହିଛି।
ଏହା ବ୍ୟତୀତ ଅଯୋଧ୍ୟା, ମୁଜାଫରନଗର, ପଟିଆଲା, ୱାରଙ୍ଗଲ, ହରିଦ୍ୱାର, ଗ୍ଵାଲିଅର, ଧନବାଦ, ଚଣ୍ଡୀଗଡ଼, ଆଗ୍ରା, ଭରତପୁର ଏବଂ ସିଙ୍ଗରୌଲି ଭଳି ଅନେକ ସହରରେ ପାରଦ ୪୫ରୁ ୪୬ ଡିଗ୍ରୀ ମଧ୍ୟରେ ରହିଛି।
ବଢୁଛି ଅଂଶୁଘାତ ଜନିତ ସମସ୍ୟା, ସ୍ୱାସ୍ଥ୍ୟ ସଂକଟ ଗମ୍ଭୀର
ଗ୍ରୀଷ୍ମ ଲହରୀ ଯୋଗୁଁ ଦେଶରେ ସ୍ୱାସ୍ଥ୍ୟ ସମସ୍ୟା ବେଗରେ ବଢିବାରେ ଲାଗିଛି। ବିଶେଷ କରି ଆନ୍ଧ୍ରପ୍ରଦେଶରେ ମାର୍ଚ୍ଚ ୧ରୁ ମେ ମଧ୍ୟରେ ପ୍ରାୟ ୩୦୦ରୁ ଅଧିକ ସନ୍ଦିଗ୍ଧ ଅଂଶୁଘାତ (Heat Stroke) ମାମଲା ସାମ୍ନାକୁ ଆସିଛି। ମେ ମାସର ପ୍ରଥମ ସପ୍ତାହରୁ ହିଁ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ମେଡିକାଲ ବିଶେଷଜ୍ଞଙ୍କ ଅନୁସାରେ, ଶରୀରର ତାପମାତ୍ରା ଅତ୍ୟଧିକ ବଢ଼ିଯିବା ଯୋଗୁଁ ଅଂଶୁଘାତ ହୋଇଥାଏ, ଯାହାକି ଏକ ମେଡିକାଲ ଏମରଜେନ୍ସି ଅଟେ। ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଝାଡ଼ାବାନ୍ତି ଏବଂ ଡିହାଇଡ୍ରେସନ (ଜଳାଭାବ) ରୋଗୀଙ୍କ ଭିଡ଼ ଜମୁଛି। ପଶ୍ଚିମ ଗୁଜରାଟରେ ପ୍ରବଳ ଗରମ ଯୋଗୁଁ ପାନୀୟ ଜଳର ସମସ୍ୟା ମଧ୍ୟ ଦେଖାଦେଇଛି।